Categories: ଜାତୀୟ

୪୦ ଦିନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ସେନା

ନୂଆଦିଲ୍ଲୀ,୨୭।୧: ପ୍ରାୟ ୧୩ଲକ୍ଷ ଯବାନଙ୍କୁ ନେଇ ଭାରତୀୟ ସେନା ଧୀରେ ଧୀରେ ତା’ର ଶକ୍ତି ବୃଦ୍ଧି କରୁଛି ବୋଲି ଜଣାପଡିଛି। ସେନା ରକେଟ ଓ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ହାଇ କ୍ୟାଲିବର ଟ୍ୟାଙ୍କ ଓ ଆର୍ଟିଲରି ସେଲସ୍‌ ମଧ୍ୟ ଗଚ୍ଛିତ କରୁଛି। ଏହି ପ୍ରସ୍ତୁତି ଏମିତି ଭାବେ କରାଯାଉଛି ଯେମିତିକି ଯଦି ୧୦ ଦିନ ପର୍ଯ୍ୟନ୍ତ ଭୟାନକ ଯୁଦ୍ଧ ଲାଗିରହେ ତେବେ ଏହାର ମୁକାବିଲା କରିବାରେ କୌଣସି ଅସୁବିଧା ହେବ ନାହିଁ। ଆଗକୁ ଏହାର ବୃଦ୍ଧି କରାଯିବ ବୋଲି ଜଣାପଡିଛି। ଅର୍ଥାତ୍‌ ଯଦି ୪୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲାଗିରହେ ତେବେ ଏଥିପାଇଁ ମଧ୍ୟ ଭାରତୀୟ ସେନା ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିବ। ଏହା କୌଣସି ସମ୍ଭାବ୍ୟ ଯୁଦ୍ଧକୁ ଲକ୍ଷ୍ୟ କରି କରାଯାଉ ନାହିଁ ବରଂ ୨୦୨୨-୨୩ ମଧ୍ୟରେ ଭାରତୀୟ ସେନାକୁ ଆହୁରି ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଏଭଳି କରାଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସେନାଙ୍କ ନିକଟକୁ ଭିନ୍ନ ଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ପଠାଯିବ ଯାହା ୧୦ ଦିନ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ଏହିସବୁ ଅସ୍ତ୍ରଶସ୍ତ୍ର ବିଶେଷ ଭାବେ ଚାଇନା ଓ ପାକିସ୍ତାନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି।

Share