୪୦ ଡିଗ୍ରୀ ଟପିଲା ୨ ସହର

ଭୁବନେଶ୍ୱର,୨।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କରୋନା ମହାମାରୀ ପାଇଁ ସମଗ୍ର ଦେଶ ଲକ୍‌ଡାଉନ ଥିବାରୁ ଲୋକମାନେ ଏହି ଗରମରୁ ତ୍ରାହି ପାଇଯାଇଛନ୍ତି। ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଉଛି। କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରକୁ ଉଠିଯାଇଛି। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୯ଡିଗ୍ରୀ ଉପରେ ରହୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାତିର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସକୁ ଛୁଇଁବ। କେତେକ ସ୍ଥାନରେ ଏହା ଟପିଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ବୁଧବାର ରାଜ୍ୟର ବିଭନ୍ନ ଭାଗରେ ତାତିର ପ୍ରକୋପ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଟିଟିଲାଗଡ଼ରେ ସର୍ବାଧିକ ୪୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗରିରେ ୪୦.୨, ବଲାଙ୍ଗୀରରେ ୪୦, ବୌଦ୍ଧରେ ୩୯.୫, ପାରଳାଖେମୁଣ୍ଡିରେ ୩୯.୨, ଭୁବନେଶ୍ୱରରେ ୩୯.୨, କଟକରେ ୩୯.୫, ଚାନ୍ଦବାଲିରେ ୩୮.୪, ଅନୁଗୋଳରେ ୩୮.୭, ବାରିପଦାରେ ୩୮.୫, ଝାରସୁଗୁଡ଼ାରେ ୩୮, ସମ୍ବଲପୁରରେ ୩୮ ଏବଂ ଭବାନୀପାଟଣାରେ ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।