୪୦ ଜଣଙ୍କ ନାମରେ ମାମଲା, ୪ ଅଟକ

ବଇଣ୍ଡା, ୧୨ା୬(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ବୋଲି କହି ଜଣେ ମହିଳାଙ୍କୁ ହଣ୍ଡପା ଥାନା ଅଞ୍ଚଳର ଯୁବକଙ୍କ ସହ ବିବାହ କରାଇଦେବା ଘଟଣା ଏବେ ଥାନାରେ ପହଞ୍ଚିଛି। ତାଙ୍କୁ ନିର୍ଯାତନା ଦିଆଯିବା ସହ ସମ୍ପର୍କୀୟ ଯୁବକଙ୍କ ସହିତ ଜୋର ଜବରଦସ୍ତ ବିବାହ କରାଯାଇଥିବା ନେଇ ମହିଳା ଜଣକ ଗୁରୁବାର ଥାନାରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସ ମୋଟ୍‌ ୪୦ ଜଣଙ୍କ ନାମରେ ନଂ. ୭୯/୨୦ରେ ମାମଲା ରୁଜୁ କରିବା ସହ ମହିଳାଙ୍କ ଶ୍ୱଶୁର, ଶାଶୁ, ସ୍ବାମୀ ଓ ଶ୍ୱଶୁରଙ୍କ ବଡ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ମହିଳାଙ୍କ ଅଭିଯୋଗ ମୁତାବକ, ରବିବାର ଅପାଙ୍କ ପୁଅ ନିକଟସ୍ଥ ଅଞ୍ଚଳକୁ ବ୍ୟବସାୟ ପାଇଁ ଆସିଥିବା ବେଳେ ରାତି ହୋଇଯିବାରୁ ଫେରି ନ ପାରି ତାଙ୍କ ଘରକୁ ଆସିଥିଲେ। ସେ ଯୁବକ ଜଣଙ୍କୁ ଖାଇବାକୁ ଦେଉଥିବା ସମୟରେ ଶ୍ୱଶୁର ବାହାର ପଟୁ ତାଲା ପକାଇ ଦେଇଥିଲେ। ଯେତେ ଡାକିଥିଲେ ମଧ୍ୟ କବାଟ ଖୋଲି ନ ଥିଲେ। ପ୍ରାୟ ୩ ଘଣ୍ଟା ପରେ ଅନ୍ୟମାନଙ୍କ ସହାୟତାରେ ଶ୍ୱଶୁର ଯୁବକଙ୍କୁ ଏକ ଦଉଡିରେ ବାନ୍ଧି ଆକ୍ରମଣ କରିଥିଲେ। ଏଥିସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପୂର୍ବରୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବାବେଳେ ଏବେ ମିଥ୍ୟାରେ ପରକୀୟା ପ୍ରୀତି ପ୍ରସଙ୍ଗ ଉଠାଇ ନିର୍ଯାତନା ଦେବା ସହ ଗଁାରେ ବୈଠକ କରି ଜୋର ଜବରଦସ୍ତ ସମ୍ପର୍କୀୟ ଯୁବକଙ୍କ ସହିତ ବିବାହ କରାଇଥିବା ମହିଳା ଜଣକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଠାକୁରଗଡ ଆଇଆଇସି ଗବାକ୍ଷ ନାୟକ କହିଛନ୍ତି।