୪୦ରୁ ଅଧିକ ଶ୍ରମିକଙ୍କୁ ଅଟକ ରଖିଲା ପୋଲିସ

ବାରିପଦା ଅଫିସ, ୩୦ା୪- ସାରା ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ସ୍ଥଳେ ଶ୍ରମିକମାନେ ଅପେକ୍ଷା ନ କରି ପଳାଇ ଆସୁଥିବା ଦେଖିବାକୁ ମିଳୁଛି। ମୟୂରଭଞ୍ଜ ଜିଲାର ବିଭିନ୍ନ ସୀମା ସିଲ୍‌ ହେଲା ପରେ ମଧ୍ୟ ମଙ୍ଗଳବାର ରାତିରେ ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଚାଲି ଚାଲି ଆସିଥିଲେ। ଖବର ପାଇ ପୋଲିସ ସେମାନଙ୍କୁ ବାଙ୍ଗିରିପୋଷି ଥାନା ଅଧୀନ କଳାବାଡ଼ିଆଠାରେ ଅଟକ ରଖିଛି। ଅଟକ ଶ୍ରମିକଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ସେମାନେ ଢେଙ୍କାନାଳର ଏକ ଷ୍ଟିଲପ୍ଲାଣ୍ଟରେ କାମ କରୁଥିଲେ। ଲକ୍‌ଡାଉନ ଯୋଗୁ କାମ ବନ୍ଦ ହେବାରୁ ଠିକାଦାର ସେମାନଙ୍କୁ ସେଠାରୁ ବାହାର କରି ଦେଇଥିଲେ। ନିରୁପାୟ ହୋଇ ଏହି ଶ୍ରମିକମାନେ ୪ଦିନ ଭୋକ ଓପାସରେ ରହି ଶେଷରେ ଏକ ଟ୍ରେଲର ଯୋଗେ ଝାଡ଼ଖଣ୍ଡ ସୀମାରେ ପହଞ୍ଚିଥିଲେ ା ସେଠାରୁ ଝାଡ଼ଖଣ୍ଡ ପୋଲିସ ତଡ଼ି ଦେବାରୁ ସେମାନେ ଜାମଶୋଳା ହୋଇ ବାଙ୍ଗିରିପୋଷି ଥାନା ଅଧୀନ କଳାବାଡିଆସ୍ଥିତ ଢାବା ନିକଟରେ ଚାଲି ଚାଲି ପହଞ୍ଚିି ଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ, ସ୍ଥାନୀୟ ସରପଞ୍ଚ ସୁମନ୍ତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଶ୍ରମିକମାନଙ୍କର ଖାଇବା ଓ ରହିବା କଥା ବୁଝିଥିଲେ। ସେଠାରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯିବା ସହିତ ସେମାନଙ୍କୁ ଘରକୁ ପଠାଇଦେବା ପାଇଁ ଯୋଜନା ଚାଲିଥିବା ସୂଚନା ମିଳିଛି। ଫରିଦାବାଦ ଅଭିମୁଖେ ଯାଉଥିବା ଟ୍ରେଲର ଶ୍ରମିକମାନଙ୍କୁ ବେଆଇନ ଭାବରେ ଆଣି ଥିବାରୁ ଉକ୍ତ ଟ୍ରେଲରକୁ ପୋଲିସ ଜବତ କରିଛି। ତେବେ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ବେଳେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ସୀମା ଜଗୁଥିବା ପୋଲିସ କର୍ମଚାରୀମାନଙ୍କ କାର୍ଯ୍ୟକଳାପ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।