୪୦ତମ ପ୍ରତିଷ୍ଠା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତା ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ଦଳୀୟ ପତାକା ଉତ୍ତୋଳନ କରିବାକୁ ସୋମବାର ଭାଜପାର ୪୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଭାଜପା ପ୍ରତିଷ୍ଠା ଦିବସରେ ଦଳୀୟ ପତାକା ଉତ୍ତୋଳନ ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନ୍‌ଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ସମୀର ମହାନ୍ତି କାର୍ଯ୍ୟକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସମସ୍ତଙ୍କୁ ଏକତ୍ରିତ ହୋଇ କରୋନା ବିରୋଧରେ ଲଢ଼େଇ କରିବାକୁ ଆହ୍ବାନ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ସମସ୍ତେ ନିଜର ଗୋଟିଏ ପ୍ରହର ଭୋଜନ ତ୍ୟାଗକରି ଏହି ସମୟରେ କଷ୍ଟ ପାଉଥିବା ଅସହାୟଙ୍କୁ ସାହାଯ୍ୟ କରନ୍ତୁ। ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇ ଖାଦ୍ୟ ସାମଗ୍ରୀ ନିଃସ୍ବ ଗରିବ ଅସହାୟ ଲୋକଙ୍କୁ ପ୍ରଦାନ କରନ୍ତୁ। ଏହାସହ ଆସନ୍ତା ସପ୍ତାହ ମଧ୍ୟରେ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ପ୍ରତି ବୁଥ୍‌ର ଲୋକଙ୍କୁ ଘରେ ତିଆରି ମାସ୍କ ବଣ୍ଟନ କରିବା ପାଇଁ ବ୍ୟବସ୍ଥା କରିବେ ଏବଂ ମାସ୍କ ତିଆରି କରିବା ଓ ବାଣ୍ଟିବାର ଭିଡିଓକୁ ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରିବେ ବୋଲି ସମୀର କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦଳ ପ୍ରତିଷ୍ଠା ଦିବସ ପାଳନ କରୁଥିବା ଯୋଗୁ ସମସ୍ତ କାର୍ଯ୍ୟକର୍ତ୍ତା ୪୦ଜଣ ଲୋକଙ୍କୁ ସମ୍ପର୍କ କରି ଶହେ ଟଙ୍କା ଲେଖାଏ ପିଏମ୍‌ କେୟାର୍ସ ଫଣ୍ଡକୁ ଅନୁଦାନ ଦେବା ପାଇଁ ପ୍ରବର୍ତ୍ତାନ୍ତୁ। ବୁଥ୍‌ କାର୍ଯ୍ୟକର୍ତ୍ତାମାନେ ୪୦ଜଣ ପରିବାରକୁ ସମ୍ପର୍କ କରି ୫ଟି ଧନ୍ୟବାଦ ପତ୍ରର ହସ୍ତାକ୍ଷର ସଂଗ୍ରହ କରି ଏହାକୁ ପୋଲିସ, ସଫେଇ, ଡାକ୍ତର, ନର୍ସ, ବ୍ୟାଙ୍କ ଏବଂ ପୋଷ୍ଟାଲ ଏବଂ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରି ଧନ୍ୟବାଦ ଜଣାଇବେ। ଦଳର ବରିଷ୍ଠ ନେତାମାନଙ୍କ ସମ୍ବନ୍ଧରେ ଜାଣିବା ପାଇଁ ନିଜ ଘରେ ଥିବା ପୁସ୍ତକକୁ ଅଧ୍ୟୟନ କରିବାକୁ ମହାନ୍ତି ନିବେଦନ କରିଛନ୍ତି। କ୍ୱାରାଣ୍ଟାଇନରେ ରହୁଥିବା ଲୋକଙ୍କୁ ଫୋନକରି ସେମାନଙ୍କ ମନୋବଳକୁ ବୃଦ୍ଧି କରିବେ।