୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା ବ୍ୟବସ୍ଥା କରିବା ସହ ବସ୍‌ରେ ଘର ଅଭିମୁଖେ ପଠାଇଛନ୍ତି।
ଲକ୍‌ଡାଉନ୍‌ ପରେ ତାମିଲନାଡୁରେ ଫସି ରହିଥିବା କଳାହାଣ୍ଡି ଜିଲା ଏମ୍‌.ରାମପୁରର ୫୧ ଜଣ ପ୍ରବାସୀ ଓଡ଼ିଆ ଏକ ବସ୍‌ ଭଡାକରି ଘର ଅଭିମୁଖେ ବାହାରିଥିଲେ। ଏନେଇ ୩ଲକ୍ଷ ୫୦ ହଜାର ଟଙ୍କା ସମ୍ପୃକ୍ତ ବସ୍‌ ମାଲିକଙ୍କୁ ଦେଇଥିଲେ। ଶନିବାର କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କୋଟଗଡ଼ ଥାନା ବଣ୍ଡାପିପିଲି ନିକଟରେ ଚାଳକ ବସ୍‌ରୁ ଓହ୍ଲାଇ ଦେଇଥିଲା। ସେମାନେ ଯେତିକି କିଲୋମିଟର କହିଥିଲେ ତାହା ହୋଇଯାଇଥିବାରୁ ଚାଳକ ଆଉ ଆଗକୁ ନେବାକୁ ମନା କରିଥିଲେ। ଉପାୟ ନପାଇ ସମସ୍ତ ପ୍ରବାସୀ ଚାଲିଚାଲି ଗଁା ଅଭିମୁଖେ ବାହାରିଥିଲେ। ଖବରପାଇ କୋଟଗଡ଼ ବିଡିଓ କୈଳାସ ଚନ୍ଦ୍ର ର୍ମୁର୍ମୁ ଓ ଥାନା ଅଧିକାରୀ ହରମୋହନ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସମସ୍ତ ପ୍ରବାସୀଙ୍କୁ ନିକଟସ୍ଥ ଲାସେରୀ ସ୍କୁଲରେ ରଖିବାସହ ଶୁଖିଲା ଖାଦ୍ୟ ଓ ପାଣି ଦେଇଥିଲେ। ପରେ ଏକ ବସ୍‌ କରି ସମସ୍ତ ପ୍ରବାସୀଙ୍କୁ ଘର ଅଭିମୁଖେ ପଠାଇଥିଲେ।