୩ ଯୁବକଙ୍କୁ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକୋ

ବାରିପଦା ଅଫିସ,୧୭।୧- ବାରିପଦା ସହରର ତକତପୁର ଛକରେ ଗୁରୁବାର ଅପରାହ୍ନରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆହତ ବିଦୁ କିସ୍କୁ ଓ ମାଟୁ ମାରାଣ୍ଡିଙ୍କ ସମେତ ଅନ୍ୟ ୨ଜଣଙ୍କୁ ଚିକିତ୍ସା ପାଇଁ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଅପରାହ୍ନ ୫ଟାରୁ ରାସ୍ତାରୋକ କରିଥିଲେ। ଖବରପାଇ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି, ଏସଡିପିଓ କେ.କେ. ହରିପ୍ରସାଦ ପ୍ରମୁଖ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକେ ସେମାନଙ୍କ ଯିଦରେ ଅଟଳ ରହିଥିଲେ। ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ। ରାତି ୯ଟା ବେଳେ ରାସ୍ତାରୋକ ହଟିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ୩ରୁ ଊର୍ଦ୍ଧ୍ୱ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ରାସ୍ତାରେ ଯାଉଥିବା ଅନ୍ୟ ୩ଜଣ ଯୁବକଙ୍କୁ ହଠାତ ଆକ୍ରମଣ କରି ଚମ୍ପଟ ମାରିଥିଲେ। ତେବେ ଆକ୍ରମଣକାରୀ ଯୁବକଙ୍କ ମଧ୍ୟରୁ ଜଣଙ୍କୁ କାବୁ କରି ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ବାରିପଦା ଟାଉନ ଥାନା ଅଧୀନ ରାଣୀବନ୍ଧ ଏବଂ ତକତପୁର ଅଞ୍ଚଳର କେତେକ ଯୁବକକଙ୍କ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାର ସମାଧାନ ହୋଇ ପାରି ନ ଥିବା ବେଳେ ପ୍ରତିଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଛୋଟ ବଡ ଗଣ୍ଡଗୋଳ ହେଉଥିଲା। ତେବେ ରାଣୀବନ୍ଧ ବାସିନ୍ଦା ଏଥିରେ ଅତିଷ୍ଠ ହୋଇ ଗୁରୁବାର ଅପରାହ୍ନ ୪ଟା ବେଳେ ମେଳି ହୋଇ ବାରିପଦା ଟାଉନ ଥାନା ଅଧିକାରୀ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ କରିବାକୁ ଆସୁଥିଲେ। ଏହି ଖବର ପାଇବା ପରେ ତକତପୁର ଅଞ୍ଚଳର ଯୁବକମାନେ ସେମାନଙ୍କୁ ଛକ ଉପରେ ଅଟକାଇବା ସହିତ ପାଟି ତୁଣ୍ଡ କରିଥିଲେ। ଅଭିଯୋଗ ନ କରିବାକୁ ଧମକ ଚମକ ଦେଇଥିଲେ। ସେମାନେ ନ ମାନିବାରୁ ବିଦୁ ଓ ମାଟୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସେଠାରୁ ଖସି ପଳାଇଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଥିଲା।