Categories: ଗଞ୍ଜାମ

୩ ବାତ୍ୟା ଆଶ୍ରୟସ୍ଥଳୀ ରାଜ୍ୟସ୍ତରରେ ପୁରସ୍କୃତ :  ଜିଲାପାଳଙ୍କୁ ଭେଟିଲେ କମିଟି ସଦସ୍ୟ

ଛତ୍ରପୁର,୩ା୧୧(ଡି.ଏନ.ଏ.)-ଭୁବନେଶ୍ୱରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାର ୩ ବାତ୍ୟା ଆଶ୍ରୟସ୍ଥଳୀକୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୩ ଆଶ୍ରୟ ସ୍ଥଳୀର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। ଉକ୍ତ ଆଶ୍ରୟସ୍ଥଳୀଗୁଡିକର ପରିଚାଳନାରେ ସଫଳତା ପାଇଁ ପୁରସ୍କାର ମିଳିଥିଲା। ସେଥିମଧ୍ୟରେ ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ଅଧୀନ କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ଓ ପୁରୁଷୋତ୍ତମପୁର ବ୍ଲକ ରାଇପୁର ପଞ୍ଚାୟତ ଅଧୀନ ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ। ସେହିପରି ଖଲ୍ଲିକୋଟ ବ୍ଲକ ବି.ନୂଆପଲ୍ଲୀ ପଞ୍ଚାୟତ ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସନ୍ଧାନ ଓ ଉଦ୍ଧାରକାରୀ ଦଳଙ୍କୁ ଭଲ ପ୍ରଦର୍ଶନ କରିଥିବାରୁ ପୁରସ୍କାର ମିଳିଥିଲା। ଏହି ୩ ଆଶ୍ରୟସ୍ଥଳୀର ସଦସ୍ୟମାନେ ଶନିବାର ଛତ୍ରପୁର ଆସି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କୁ ଭେଟିବା ସହ ପାଇଥିବା ପୁରସ୍କାର ସମ୍ପର୍କରେ ଅବଗତ କରାଇଥିଲେ। ଜିଲା ଜରୁରିକାଳୀନ ଅଧିକାରୀ ପ୍ରଜ୍ଞା ପରମିତା ଥାଟୋଇ, ଓସ୍‌ଡମା ଜିଲା ପ୍ରକଳ୍ପ ଅଧିକାରୀ ପ୍ରଭୁ ପ୍ରସାଦ ମହାରଣା, କରାପଲ୍ଲୀ ବାତ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ଲକ୍ଷ୍ମୀପୁର ସରପଞ୍ଚ ଏମ୍‌.ନାରସୁମୁଲ ରେଡ୍ଡୀ, ସମ୍ପାଦକ ମାଗୁଣି ବିଷୋୟୀ, ଗୋବିନ୍ଦପୁର ବନ୍ୟା ଆଶ୍ରୟସ୍ଥଳୀ ପରଚାଳନା କମିଟି ସଭାପତି ତଥା ରାଇପୁର ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, ସମ୍ପାଦକ ପ୍ରସନ୍ନ କୁମାର ଦାଶ, ମାନାପଲ୍ଲୀ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସଭାପତି ବାସୁଦେବ ରାଉତ ଓ ସମ୍ପାଦକ ଜେ. କେଦାରନାଥ ପାତ୍ର, ପରିଚାଳନା ସଦସ୍ୟ ତଥା ଏ.ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।