୩ ବସ୍‌ରେ ଗଲେ ୯୭ ଶ୍ରମିକ

ଅନୁଗୋଳ ଅଫିସ, ୭।୫ – ଅନୁଗୋଳରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ୧୪ ଦିନିଆ ସଙ୍ଗରୋଧ ସମାପ୍ତ ହୋଇଛି ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବସ୍‌ ଯୋଗେ ଘରକୁ ପଠାଇବା ପ୍ରକ୍ରିୟା ଜାରି ରହିଛି। ବୁଧବାର ପୂର୍ବାହ୍ନରେ ଛତିଶଗଡ଼ର ୭୮ ଜଣ, ମଧ୍ୟପ୍ରଦେଶର ୧୮ ଜଣ ଓ ବୌଦ୍ଧ ଜିଲାର ୩ ଜଣଙ୍କୁ ବସ୍‌ ଯୋଗେ ନିଜ ନିଜ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଛି। ବସ୍‌ରେ ଯାତ୍ରା କରୁଥିବା ଶ୍ରମିକମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପ୍ୟାକେଟ ମଧ୍ୟ ପ୍ରଦାନ କରାଯାଇଛି। ସମସ୍ତ ଶ୍ରମିକଙ୍କ ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା ସହ କ୍ଷମତାର ୫୦ ପ୍ରତିଶତ ସିଟ୍‌ରେ ଶ୍ରମିକଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ ପୂର୍ବକ ପଠାଯାଇଛି। ଜିଲା ସହକାରୀ ନୋଡାଲ ଅଧିକାରୀ ରତନ କୁମାର ଆଚାର୍ଯ୍ୟ, ଆସିଷ୍ଟାଣ୍ଟ କଲେକ୍ଟର ସୁବ୍ରତ କୁମାର ବେହେରା ଓ ଅନୁଗୋଳ ଅତିରିକ୍ତ ତହସିଲଦାର ସୁଦର୍ଶନ ଗୁରୁ ବସ୍‌ ଗୁଡ଼ିକୁ ବୁଧବାର ଆନୁଷ୍ଠାନିକ ଭାବେ ଜିଲା କାର୍ଯ୍ୟାଳୟ ପରିସରରୁ ଛତିଶଗଡ଼, ମଧ୍ୟପ୍ରଦେଶ ଓ ବୌଦ୍ଧ ଜିଲାକୁ ପଠାଇଥିଲେ।