Categories: ଜାତୀୟ

୩ ବର୍ଷର କାର୍ଯ୍ୟକାଳ: ନଡ୍ଡାଙ୍କ ଆଗରେ ଦକ୍ଷିଣ ଏବଂ ପୂର୍ବୋତ୍ତର ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେ.ପି. ନଡ୍ଡା ସୋମବାର କାର୍ଯ୍ୟ ଭାର ସମ୍ଭାଳିଛନ୍ତି। ସେ ଏହି ପଦରେ ଆସନ୍ତା ୨୦୨୩ ପର୍ଯ୍ୟନ୍ତ ରହିବେ। ନଡ୍ଡାଙ୍କ କାର୍ଯ୍ୟକ୍ଷେତ୍ର କେତେଦୂର ସଫଳ ରହିବ ସେନେଇ ଏବେ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଭାଜପାକୁ ଯେଉଁ ଶିଖରରେ ଆଣି ପହଞ୍ଚାଇଛନ୍ତି ତାହାକୁ ବଞ୍ଚାଇ ରଖିବା ନଡ୍ଡାଙ୍କ ପାଇଁ ଆହ୍ବାନ ମୂଳକ ହେବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଭବିଷ୍ୟତ କାର୍ଯ୍ୟ ପନ୍ଥା ମଧ୍ୟରେ ଦକ୍ଷିଣ ରାଜ୍ୟରେ ପଦ୍ମ ଫୁଟାଇବା ଏବଂ ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ଭାଜପାର ସାମ୍ପ୍ରତିକ ସ୍ଥିତିକୁ ବଜାୟ ରଖିବା ନଡ୍ଡାଙ୍କ ଲାଗି ଅଗ୍ନି ପରୀକ୍ଷା ସଦୃଶ ହେବ ବୋଲି ଅନୁମାନ କରାଯାଉଛି। ଇତିମଧ୍ୟରେ ଶାହଙ୍କ ନେତୃତ୍ୱରେ ନଡ୍ଡା କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଭାବେ ୮ ମାସ କାର୍ଯ୍ୟ କରିଛନ୍ତି। ଏହି ସମୟରେ ହାସଲ କରିଥିବା ଅଭିଜ୍ଞତା ବର୍ତ୍ତମାନର ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାର ଗ୍ରହଣ ପରେ କେତେ ଦୂର ସହାୟକ ହେବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି। ନଡ୍ଡାଙ୍କ ସମୟରେ ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ପୂର୍ବୋତ୍ତର ରାଜ୍ୟରେ ବିଧାନସଭା ଅନୁଷ୍ଠିତ ହେବ। ଏସବୁ ନିର୍ବାଚନ ନଡ୍ଡାଙ୍କ ଦକ୍ଷତାକୁ ପ୍ରମାଣିତ କରାଇବାର ଏକ ମାଧ୍ୟମ ପାଲଟିବ ବୋଲି ଚର୍ଚ୍ଚା ହେଉଛି।

Share