Categories: ଜାତୀୟ

୩ ବର୍ଷରେ ଟ୍ରେନ୍‌, ଷ୍ଟେଶନ ପରିସରରେ ହୋଇଛି ୧୬୫ ବଳାତ୍କାର ଘଟଣା: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୨।୩: ଟ୍ରେନ୍‌ରେ ଯାତ୍ରା କରିବା ମଧ୍ୟ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ। ଏହା ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ଦ୍ୱାରା କରାଯାଇଥିବା ଏକ ଆବେଦନ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ଦର୍ଶାଯାଇଛି ଯେ, ଗତ ୩ ବର୍ଷ ମଧ୍ୟରେ ଟ୍ରେନ୍‌ ଏବଂ ଷ୍ଟେଶନ ପରିସରରେ ୧୬୫ ବଳାତ୍କାର ଘଟଣା ହୋଇଛି। ୨୦୧୭ରୁ ୨୦୧୯ ମଧ୍ୟରେ ଏସବୁ ଘଟଣା ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭ରେ ଏଭଳି ୫୧ଟି ଘଟଣା ଘଟିଥିବାବେଳେ ୨୦୧୮ରେ ଏହାର ସଂଖ୍ୟା ୭୦ ଥିଲା। ସେହିପରି ୨୦୧୯ରେ ୪୪ଟି ବଳାତ୍କାର ଘଟଣା ଟ୍ରେନ୍‌ ଏବଂ ଷ୍ଟେଶନ ପରିସରରେ ହୋଇଥିବା ରିପୋର୍ଟ କୁହାଯାଇଛି। ଆର୍‌ଟିଆଇ କର୍ମୀ ଚନ୍ଦ୍ରଶେଖର ଗୌଡ଼ଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନର ଉତ୍ତରରେ ଏହି ରିପୋର୍ଟ ମିଳିଛି। ଚଳନ୍ତା ଟ୍ରେନ୍‌ରେ ୩ ବର୍ଷରେ ୨୯ ବଳାତ୍କାର ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ଟ୍ରେନ୍‌ ଏବଂ ଷ୍ଟେଶନ ପରିସରରେ ୧,୬୭୨ଟି ଆପରାଧୀକ ଘଟଣା ଘଟିଛି। ସେଥିମଧ୍ୟରେ ୮୦୨ଟି ଷ୍ଟେଶନ ପରିସରରେ ଘଟିଛି। ଅପରପକ୍ଷରେ ୮୭୦ଟି ଚଳାନ୍ତା ଟ୍ରେନ୍‌ରେ ଘଟିଛି। ସେସବୁ ମଧ୍ୟରେ ୭,୭୧ ଅପହରଣ, ୪,୭୧୮ ଲୁଟ୍‌, ୫୪୨ ହତ୍ୟା ଏବଂ ୨୧୩ ହତ୍ୟା ଉଦ୍ୟମ ଘଟଣା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share