୩ ପ୍ରତିଭାଙ୍କୁ ରେଭେନ୍‌ଶା ରତ୍ନ ସମ୍ମାନ

କଟକ ଅଫିସ,୨୩ା୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଅଫ ୱିଜଡମ ଠାରେ ଟି.ଇ. ରେଭେନ୍‌ଶାଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଫାଇଟ ଫର ଦି ଫାଉଣ୍ଡେଶନ ଅଫ ରେଭେନ୍‌ଶା ଇନଷ୍ଟିଚ୍ୟୁସନ୍ସ ଟ୍ରଷ୍ଟ(ଏଫଏଫଆରଆଇ)ପକ୍ଷରୁ ରେଭେନ୍‌ଶା ରତ୍ନ ସମ୍ମାନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବି. ପି. ଦାସ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଇଶାନ କୁମାର ପାତ୍ର ଯୋଗଦେଇଥିଲେ। ସଙ୍ଗଠନର ଆବାହକ ପ୍ରକାଶ କୁମାର ପଣ୍ଡା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଚଳିତବର୍ଷ ପାଇଁ ୩ ପ୍ରତିଭାଙ୍କୁ ରେଭେନ୍‌ଶା ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ପଦ୍ମଶ୍ରୀ ଡ. ପ୍ରତିଭା ରାୟ ଓ ପଦ୍ମଶ୍ରୀ ପ୍ରଫେସର ପ୍ରଫୁଲ୍ଲ କୁମାର ଜେନାଙ୍କୁ ଏହି ସମ୍ମାନ ଦିଆଯାଇଥିଲା। ସେହିପରି ଡ. ବିବୁଧେନ୍ଦ୍ର ମିଶ୍ରଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଛି। ହେଲେ ତାଙ୍କ ଅନୁପସ୍ଥିତିରେ ପରିବାର ସଦସ୍ୟ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏଥି ସହିତ ପ୍ରଫେସର ସିଦ୍ଧାର୍ଥ ଦାସ ଏବଂ ସିନେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ‘ରେଭେନ୍‌ଶା ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି, ଯୁବନେତା ସ୍ମୃତିରଞ୍ଜନ ଦାଶ, ହରିଶଙ୍କର ରାଉତ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ‘ରେଭେନ୍‌ଶା ଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ସ୍କୁଲ ଓ କଲେଜରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଜେଏମ୍‌ସି ବିଭାଗର ଛାତ୍ରୀଛାତ୍ରଙ୍କ ପକ୍ଷରୁ ଡ. ଦେବିଲାଲ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ‘କର୍ତ୍ତବ୍ୟ’ ମଞ୍ଚସ୍ଥ ହୋଇଥିଲା। ସଙ୍ଗଠନର ଅଧ୍ୟକ୍ଷ ସନ୍ତୋଷ ମହାରଣା ସ୍ବାଗତ ଭାଷଣ, ଉପାଧ୍ୟକ୍ଷ ଜଗନ୍ନାଥ ମହାନ୍ତି ବିବରଣୀ ପାଠ ଓ ଛାତ୍ରୀ ପୂଜାରାଣୀ ରାଉତ ଧନ୍ୟବାଦ ଦେଇଥିଲେ।