୩ ଦିନ ବର୍ଷା: ଘଣ୍ଟାକୁ ୩୦ରୁ ୪୦ କି.ମି. ପବନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳର ଭୂପୃଷ୍ଠରୁ ୯କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଜିଲା ସମେତ ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି ଏହି ସମୟରେ ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ଯାଏ କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ସବୁ ଜିଲାରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ପରେ ପରେ ୨୭ ଓ ୨୮ ତାରିଖରେ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଏବଂ ଅନୁଗୋଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ। ସେହିପରି ଉପକୂଳ ଓଡ଼ିଶା, ଭଦ୍ରକ, ଯାଜପୁର, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା ପୁରୀ, ନୟାଗଡ଼, ଅନୁଗୋଳ, କନ୍ଧମାଳ ଏବଂ ରାୟଗଡ଼ା ଜିଲାର କେତେକ ଅଞ୍ଚଳରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିବ।
ବର୍ଷା, ପବନ ଏବଂ କୁହୁଡ଼ିକୁ ଦେଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି। କୁହୁଡ଼ି ପ୍ରବଳ ହେଉଥିବାରୁ ଯାନବାହନ ଚଳାଚଳ ନିୟନ୍ତ୍ରଣ ନେଇ ପୋଲିସ ଓ ପରିବହନ ବିଭାଗ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ନେଇ ରାଜ୍ୟ ଆପାତ୍‌କାଳୀନ ସେଣ୍ଟରକୁ ଜଣାଇବାକୁ କୁହାଯାଇଛି। ପାଗ ମେଘୁଆ ଥିବା ଯୋଗୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ସୋମବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଲାଙ୍ଗୀରଠାରେ ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିଠାରେ ୩୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।