୩ ଜରିମାନା ଖିଲାପୀ ଖଣିର ସମ୍ପତ୍ତି ଜବତ ନିର୍ଦ୍ଦେଶ

କେନ୍ଦୁଝର,୨ା୨(ଡ଼ି.ଏନ୍‌.ଏ.)- ଜରିମାନା ଖିଲାପୀ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଓପିଡିଆର୍‌ ସାର୍ଟିଫିକେଟ କେଶ ମଧ୍ୟରୁ ଶନିବାର ୩ଟି ଖଣିର ଶୁଣାଣି ହୋଇଛି। ଏହି ୩ ଖଣିର ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୩୦/୨୦୧୮ର ଏଚ୍‌ଜି ପାଣ୍ଡିଆ ଆଣ୍ଡ ଅଦର୍ସ ଖଣି ଲିଜ୍‌ଧାରୀଙ୍କର ବକେୟା ଥିବା ୯୨କୋଟି ୬୬ଲକ୍ଷ ୨୧ହଜାର ୪୮୩ ଟଙ୍କା ଜରିମାନା ଦାଖଲ ସମ୍ପର୍କରେ ଶନିବାର ଶୁଣାଣି ହୋଇଥିଲା। ଜରିମାନା ଦାଖଲ ହୋଇ ନ ଥିବାରୁ ଉପରୋକ୍ତ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଏବଂ ବ୍ୟାଙ୍କ ଆକାଉଣ୍ଟ ଜବତ କରି ଜରିମାନା ବାବଦ ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୩୨/୨୦୧୮ର ବିପିଏମ୍‌ଇ ଲିଃ ଖଣି ଲିଜ୍‌ଧାରୀଙ୍କର ବକେୟା ଥିବା ୨୪୧ କୋଟି ଟଙ୍କା ଜରିମାନା ଦାଖଲ ସମ୍ପର୍କରେ ଶୁଣାଣି ହୋଇଥିଲା। ସମ୍ପୃକ୍ତ ଲିଜ୍‌ଧାରୀଙ୍କ ସମ୍ପତ୍ତି ବିକ୍ରୟ କରି ଜରିମାନା ଆଦାୟ କରିବାକୁ ବଡବିଲ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓପିଡିଆର୍‌ ସାର୍ଟିଫିକେଟ କେଶ ନଂ. ୪୭/୨୦୧୮ର ଏସ୍‌ସି ପାଢୀ ଖଣି କର୍ତ୍ତୃପକ୍ଷ ବକେୟା ଥିବା ଜରିମାନା ୨୮କୋଟି ୪୫ଲକ୍ଷ ୯୫ହଜାର ୮୬୬ ଟଙ୍କା ପୈଠ କରି ନ ଥିବାରୁ ଲିଜଧାରୀଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ଜବତ କରି ଅର୍ଥ ଆଦାୟ କରିବାକୁ ଜିଲାପାଳଙ୍କ କୋର୍ଟ ନିର୍ଦ୍ଦେଶ ଜାରୀ କରିଛନ୍ତି।