୩ ଓଡ଼ିଆ ପାଇବେ ସାହସିକତା ପୁରସ୍କାର

ଭୁବନେଶ୍ୱର, ୨୨ା୧(ବ୍ୟୁରୋ):ଭାରତୀୟ ଶିଶୁ କଲ୍ୟାଣ ପରିଷଦ ବା ଇଣ୍ଡିଆନ କାଉନ୍‌ସିଲ ଫର୍‌ ଚାଇଲ୍ଡ ଓ୍ବେଲ୍‌ଫେୟାର(ଆଇସିସିଡବ୍ଲ୍ୟୁ) ପକ୍ଷରୁ ୬୩ତମ ଜାତୀୟ ସାହସିକତା ପୁରସ୍କାର ନେଇ ସାହସୀ ପିଲାଙ୍କ ନାମ ଘୋଷଣା ହୋଇଛି। ଚଳିତବର୍ଷ ଏହି ପୁରସ୍କାର ପାଇବା ପାଇଁ ସାରା ଦେଶରୁ ୨୨ଜଣ ମନୋନୀତ ହୋଇଥିବାବେଳେ ଓଡ଼ିଶାରୁ ୩ଜଣ ରହିଛନ୍ତି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୋଳର ଶ୍ରୀମତୀ ବଦ୍ରା। କେନ୍ଦ୍ରାପଡ଼ା ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ଦୁଇ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି ଦେବଦୂତ ସାଜି ୧୨ଜଣଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ଅନୁଗୋଳର ଶ୍ରୀମତୀ ବଦ୍ରା ଟ୍ରେନ୍‌ ଲାଇନରୁ ତାଙ୍କ ସାଙ୍ଗଙ୍କ ଜୀବନ ବଞ୍ଚାଇଥିଲେ। ନୂଆଦିଲ୍ଲୀରେ ରାଷ୍ଟ୍ରପତିଭବନରେ ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ପୁରସ୍କୃତ କରାଯିବ। ପୂର୍ଣ୍ଣିମା ଓ ସବିତାଙ୍କୁ ‘ଆଇସିସିଡବ୍ଲ୍ୟୁ ଧ୍ରୂବ ପୁରସ୍କାର’ ଏବଂ ଶ୍ରୀମତୀଙ୍କୁ ‘ଆଇସିସିଡବ୍ଲ୍ୟୁ ପ୍ରହଲ୍ଲାଦ ପୁରସ୍କାର’ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ୧୯୫୮ ଫେବୃୟାରୀ ୪ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଦୁଇଜଣ ପିଲାଙ୍କୁ ସାହସ ଓ ସେବା ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ଏହା ପରଠାରୁ ଆଇସିସିଡବ୍ଲ୍ୟୁ ପ୍ରତିବର୍ଷ ପିଲାଙ୍କୁ ଏହି ଜାତୀୟ ପୁରସ୍କାର ପ୍ରଦାନ କରି ଆସୁଛି।