୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦୁଇଦେଶ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନ ନେଇ ସର୍ବାଧିକ ସଂଯମ ଅବଲମ୍ବନ କରନ୍ତୁ। ଏଥିସହ ଶିମ୍‌ଲା ରାଜିନାମାକୁ ଅନୁସରଣ କରି ବିବାଦର ସମାଧାନ କରନ୍ତୁ ବୋଲି ଶୁକ୍ରବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଭାରତ ଓ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଅନୁଚ୍ଛେଦ ୩୭୦କୁ ହଟାଯାଇ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏଥିରେ ଛାନିଆ ହୋଇ ଭାରତକୁ ଯୁଦ୍ଧଭୟ ଦେଖାଇବା ସହ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ଘଟିବ ବୋଲି ଚେତାବନୀ ଦେଇଛନ୍ତି। ଭାରତର ନିଷ୍ପତ୍ତିକୁ ଇସ୍‌ଲାମାବାଦ ଏକତରଫା ଏବଂ ବେଆଇନ ବୋଲି ଦର୍ଶାଇ କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିଛି। ଏହାସହ ଦୁଇଦେଶ ମଧ୍ୟରେ ଚାଲିଥିବା ସମ୍‌ଝୌତା ଏକ୍ସପ୍ରେସ୍‌କୁ ବନ୍ଦ କରିଦେଇଥିବାବେଳେ ଥର୍‌ ଏକ୍ସପ୍ରେସ୍‌କୁ ମଧ୍ୟ ବନ୍ଦକରିବା ପାଇଁ ଚିନ୍ତା କରୁଛି। ସେହିପରି ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ବାତିଲ କରିଦେଇଛି। ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଭାରତ ପକ୍ଷରୁ ନିନ୍ଦା କରାଯାଇ ପୁନର୍ବିଚାର ପାଇଁ କୁହାଯାଇଥିବାବେଳେ ଜାତିସଂଘର ଦ୍ୱାରସ୍ଥ ହୋଇଛି ଇସ୍‌ଲାମାବାଦ। ହେଲେ ଜାତିସଂଘ ଏହି ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ମନାକରିଦେଇଥିବାରୁ ପାକିସ୍ତାନକୁ ଶକ୍ତ ଝଟକା ଲାଗିଛି। ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଜାତିସଂଘ ନଜର ରଖିଛି। ଉଭୟ ପକ୍ଷ ଯଥାସମ୍ଭବ ସଂଯମ ରହିବା ଉଚିତ। ଭାରତ-ପାକିସ୍ତାନ ୧୯୭୨ ଶିମ୍‌ଲା ରାଜିନାମା ଅନୁସାରେ କାମ କରନ୍ତୁ। ତେବେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ ବା ମଧ୍ୟସ୍ଥତା କରିବାକୁ ଗୁଟେରେସ୍‌ ମନା କରିଦେଇଥିତ୍ବା ତାଙ୍କ ମୁଖପାତ୍ର ଷ୍ଟିଫେନ୍‌ ଡୁଜାରିକ୍‌ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥିତିରେ ଏହି ବିବାଦରେ କୌଣସି ଦେଶ ଛନ୍ଦି ହେବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ଦୁଇଦେଶକୁ ଚାଇନା ପରାମର୍ଶ ଦେଇଥିବାବେଳେ ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ବେଜିଂ ଧାଇଁଛନ୍ତି। ଇତିମଧ୍ୟରେ ଏହି ପ୍ରସଙ୍ଗରେ ଆମେରିକା ତା’ର ପୂର୍ବ ନୀତି ବଜାୟ ରଖିଥିବା ଓ୍ବାଶିଂଟନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ ଅନ୍ତର୍ଜାତୀୟ ସମୁଦାୟ ନିକଟରେ ଭାରତ ବିରୋଧରେ ଫେରାଦ ହୋଇଥିବା ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଛି।

Share