Categories: ଜାତୀୟ

୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୮ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ବଳରେ ଉଚ୍ଛେଦ କରାଯାଇଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। କେତେଜଣ ଅବସରପ୍ରାପ୍ତ ସାମରିକ ଓ ପ୍ରଶାସନିକ ଅଧିକାରୀ ରାଷ୍ଟ୍ରପତୀୟ ନିର୍ଦ୍ଦେଶନାମା ବିରୋଧରେ ସର୍ବୋଚ୍ଚ ଅଦାଲତରେ ପିଟିଶନ୍‌ ଦାଏର କରିଛନ୍ତି। ଗତ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିଥିଲେ। ଏହାର ଦିନକ ପୂର୍ବରୁ ସେଠାରେ ଟେଲିଫୋନ୍‌, ଇଣ୍ଟରନେଟ ଓ ଟେଲିଭିଜନ ସେବା ବନ୍ଦ କରିଦିଆଯାଇଥିଲା।
ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ପୂର୍ବତନ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ୨୦୧୦-୧୧ରେ ଜମ୍ମୁ-କଶ୍ମୀର ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଗଠିତ ମଧ୍ୟସ୍ଥ କମିଟିର ପୂର୍ବତନ ସଦସ୍ୟ ରାଧା କୁମାର,ଜମ୍ମୁ-କଶ୍ମୀର କ୍ୟାଡରର ପୂର୍ବତନ ଆଇଏଏସ୍‌ ଅଫିସର ହିନ୍ଦଲ ହାଇଦର ତୟାବ୍‌ଜି, ଅବସରପ୍ରାପ୍ତ ଏୟାର ଭାଇସ୍‌ ମାର୍ଶାଲ କପିଲ କାକ୍‌। କପିଲ ପ୍ରତିରକ୍ଷା ଅଧ୍ୟୟନ ଓ ଅନୁଶୀଳନ ସଂସ୍ଥାର ଉପନିର୍ଦ୍ଦେଶକ ମଧ୍ୟ ଥିଲେ। ଏହାବ୍ୟତୀତ ଅବସରପ୍ରାପ୍ତ ମେଜର ଜେନେରାଲ ଅଶୋକ କୁମାର ମେହେଟା, ପଞ୍ଜାବ କ୍ୟାଡର ଆଇଏଏସ ଅମିତାଭ ପାଣ୍ଡେ, କେରଳ କ୍ୟାଡର ଆଇଏଏସ ଅଫିସର ତଥା ଅବସରପ୍ରାପ୍ତ ସ୍ବରାଷ୍ଟ୍ର ସଚିବ ଗୋପାଳ ପିଲାଇ ମଧ୍ୟ ପିଟିଶନର ଗୋଷ୍ଠୀରେ ସାମିଲ ଅଛନ୍ତି। ରାଷ୍ଟ୍ରପତୀୟ ନର୍ଦ୍ଦେଶନାମାକୁ ରଦ୍ଦ କରିବା ସହ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ, ୨୦୧୯ ବାତିଲ ପାଇଁ ପିଟିଶନ୍‌ରେ ଅନୁରୋଧ କରାଯାଇଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ଏହା ହେଉଛି ସପ୍ତମ ପିଟିଶନ୍‌। ପୂର୍ବରୁ ସୁପ୍ରିମକୋର୍ଟରେ ୬ଟି ପିଟିଶନ ଦାଏର ହୋଇଥିଲା।

Share