Categories: ଜାତୀୟ

୩୫ ବର୍ଷରେ ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ଏବେ ବି ମିଳିନି ମୃତକଙ୍କୁ ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୫ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ରୁ ଟାଙ୍କିରୁ ନିର୍ଗତ ହୋଇଥିଲା ବିଷାକ୍ତ ମିଥାଇଲ୍‌ ଆଇସୋସିଆନେଟ୍‌ ଗ୍ୟାସ୍‌। ଏହାର ପ୍ରଭାବରେ ୨ ହଜାର ୨ଶହ ୫୯ ଲୋକଙ୍କ ତତ୍‌କ୍ଷଣାତ୍‌ ମୃତ୍ୟୁ ଘଟିଥିଲା। ପରେ ମୃତ୍ୟୁ ସଂଖ୍ୟା ୩ ହଜାର ୭ ଶହ ୮୭ ଛୁଇଁଥିଲା ବୋଲି ରାଜ୍ୟ ସରକାର ରିପୋର୍ଟ ଦେଇଥିଲେ। ତେବେ ମୃତ୍ୟୁ ସଂଖ୍ୟା ୧୬ ହଜାରରୁ ଅଧିକ ବୋଲି ବେସରକାରୀ ସୂତ୍ରରୁ କୁହାଯାଇଥିଲା। ବିଷାକ୍ତ ଗ୍ୟାସ୍‌ର ପ୍ରଭାବରେ ୫ ଲକ୍ଷ ୫୮ ହଜାର ଶହେ ୨୫ ଜଣ ଲୋକ ଗୁରୁତର ଆହତ ହୋଇଥିବାବେଳେ ୩୮ ହଜାର ୪ ଶହ ୭୮ ଜଣ ଆଶିଂକ ଆହତ ହୋଇଥିଲେ ବୋଲି ରାଜ୍ୟ ସରକାର ୨୦୦୬ରେ ସତ୍ୟପାଠ ଦାଖଲ କରିଥିଲେ। ୩ ହଜାର ୯ ଶହ ଜଣ ଏହାଯୋଗୁ ଦିବ୍ୟାଙ୍ଗ ହୋଇଥିଲେ। ଦୁଇସପ୍ତାହ ମଧ୍ୟରେ ୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ପରବର୍ତ୍ତୀ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନ୍ୟ ୮ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ୧୯୬୯ରେ ଏଠାରେ ପେଷ୍ଟିସାଇଡ୍‌ କାରଖାନା ୟୁନିୟନ୍‌ କାର୍ବାଇଡ୍‌ ଇଣ୍ଡିଆ ଲିମିଟେଡ୍‌ ସ୍ଥାପିତ ହୋଇଥିଲା। ଗତ ୪୯ ବର୍ଷ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏଠାକାର ଭୂତଳ ଜଳରେ ୧୦ ହଜାର ଟନ୍‌ ମିଶ୍ରିତ କରିସାରିଛି। ପ୍ରଥମେ ଏହାଯୋଗୁ ୧୫ଟି ବସ୍ତି ପ୍ରଭାବିତ ହୋଇଥିବାବେଳେ ପରେ ୩୦ ଏବଂ ଏବେ ୪୨ ବସ୍ତିର ମାଟି ତଳ ପାଲଟିଛି ଜହର। ଏବେ କମ୍ପାନୀର ବାହ୍ୟ ପରିସରରେ ଟନ୍‌ ଟନ୍‌ ବିଷାକ୍ତ ବର୍ଜ୍ୟବସ୍ତୁ ପଡ଼ି ରହିଛି। ଏହାକୁ ନେଇ ବିଭିନ୍ନ ସମୟରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କାରଖାନାର ସଞ୍ଚାଳକ ଓ୍ବାରେନ୍‌ ଆଣ୍ଡରସନ୍‌ ଭାରତ ଛାଡ଼ି ନିଜ ଦେଶ ଆମେରିକା ଚାଲିଯାଇଥିଲେ। ପୀଡ଼ିତ ତାଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ। ତେବେ ଭାରତ ସରକାର ଆଣ୍ଡରସନ୍‌ଙ୍କୁ ଭାରତ ଆଣି ପାରି ନ ଥିଲେ। ୨୦୧୪ ସେପ୍ଟେମ୍ବର ୨୯ରେ ତାଙ୍କର ମୃତ୍ୟୁ ଘଟିଥିଲା।

Share