୩୪୬ଛାତ୍ରୀଙ୍କୁ ସାନିଟାରି ନାପ୍‌କିନ

ସୋନପୁର,୨୯।୭(ନି.ପ୍ର.): ସୋନପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ସ୍ବାସ୍ଥ୍ୟ ସଚେତନତା ଓ ସାନିଟାରି ନାପ୍‌କିନ ‘ଖୁସି’ ବଣ୍ଟନ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତନୁ କୁମ୍ଭକାରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ମୁଖ୍ୟ ଅତିଥିଭାବେ ଯୋଗଦେଇ ଖୁସି ଯୋଜନା ବିଷୟରେ କହିଥିଲେ। ସହକାରୀ ଜିଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ବ୍ୟକ୍ତିଗତ ସ୍ବଚ୍ଛତା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ଝିଅମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ସୁସ୍ଥ ରହିବା ପାଇଁ ଉତ୍ତମ ଅଭ୍ୟାସ ଉପରେ ଛାତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ ସାହୁ ସୂଚନା ଦେଇଥିଲେ ଯେ, ଓଡିଶା ରାଜ୍ୟ ମେଡିକାଲ କର୍ପୋରେଶନ ତାଲିକା ଅନୁଯାୟୀ ଜିଲାର ପ୍ରାୟ ସବୁ ବିଦ୍ୟାଳୟକୁ ସାନିଟାରୀ ନାପ୍‌କିନ ପହଞ୍ଚାଇ ଦିଆଯାଇଛି। ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଣତୀ ସାହୁ ଛାତ୍ରୀମାନଙ୍କୁ ସାନିଟାରୀ ନାପ୍‌କିନର ବ୍ୟବହାର ପ୍ରକ୍ରିୟା ବୁଝାଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ସଭା ପରିଚାଳନା କରିଥିଲା ବେଳେ ସତମାନିନୀ ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୩୪୬ ଛାତ୍ରୀଙ୍କୁ ନାପକିନ୍‌ ବଣ୍ଟନ କରାଯାଇଥିଲା।