୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ: ଭାଗନେଲେ ୫୯୮ ଶିବିରାର୍ଥୀ

କାମାକ୍ଷାନଗର, ୩।୧(ଡି.ଏନ.ଏ): କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିଲାସ୍ତରୀୟ ୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭାରତ ସ୍କାଉଟ୍ସ, ଗାଇଡ୍ସ ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୯୮ ଶିବିରାର୍ଥୀ, ୩୨୭ଜଣ ସ୍କାଉଟ୍ସ ମାଷ୍ଟର ଏବଂ ଗାଇଡ୍ସ କ୍ୟାପ୍‌ଟେନ୍‌ ଅଂଶଗ୍ରହଣ କରିଛନ୍ତି।
ଜିଲା ଶିକ୍ଷାଧିକାରୀ ତଥା ଶାଖା ମୁଖ୍ୟ କମିଶନର ସୁଧାନନ୍ଦ ପରିଡ଼ା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଜାତୀୟ ସଂହତି ବିନା ଅଖଣ୍ଡ ଭାରତ ଅସମ୍ଭବ। ଜାତୀୟ ସଂହତି ରକ୍ଷା କରି ଗୋଟିଏ ମା’ର ସନ୍ତାନ ଭଳି ଭାରତମାତାର ସୁରକ୍ଷା ଦିଗରେ ଆଗେଇ ଆସିବା ପାଇଁ ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଆହ୍ବାନ ଦେଇଥିଲେ। ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିବିରାର୍ଥୀମାନେ ଏଠାରୁ ଶିଖି ଅନ୍ୟକୁ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଇଂ. ଅଖିଳ କୁମାର ପଣ୍ଡା, ବିଇଓ ଅଜୟ କୁମାର ପାତ୍ର, ବ୍ରହ୍ମୋତ୍ରୀ ବିଶ୍ୱାଳ, ନିତ୍ୟାନନ୍ଦ ବାରିକ, ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର କମିଶନର ସୁରଜିତ୍‌ ସେନ୍‌, ଜିଲା କମିଶନର ଗଗନ ବିହାରୀ ନାୟକ, ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ଅତିଥିମାନେ ସ୍କାଉଟ୍ସ ଗାଇଡ୍ସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସନ୍ଧ୍ୟାରେ ଶିବିରାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କାଉଟ୍ସ ମାଷ୍ଟର ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ। ସଂଗୀତ ଶିକ୍ଷକ ଅମିତ କୁମାର ନାୟକ, ଡା. ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ, କବିତା ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୬ ତାରିଖ ଯାଏ ଚାଲିବ। ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ ସମାଜସେବା, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ।