୩୦୦ ଶ୍ରମିକଙ୍କୁ ବେଆଇନ ଛଟେଇ ଅଭିଯୋଗ: ଲେବର କଣ୍ଟ୍ରାକ୍ଟରଙ୍କ ବିରୋଧରେ ବିକ୍ଷୋଭ

ଢେଙ୍କାନାଳ ଅଫିସ, ୮।୧- ଢେଙ୍କାନାଳ ଜିଲା ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ ଲେବର କଣ୍ଟ୍ରାକ୍ଟରଙ୍କ ମନମୁଖି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଟାଟା ବିଏସ୍‌ଏଲ୍‌ ଇଣ୍ଡଷ୍ଟ୍ରିଜ୍‌ ଶ୍ରମିକ ୟୁନିୟନ। ଏହାର ପ୍ରତିବାଦରେ ମଙ୍ଗଳବାର ମଧ୍ୟାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକମାନେ ଶୋଭାଯାତ୍ରାରେ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ସଂଘ କାର୍ଯ୍ୟାଳୟରୁ ବାହାରି ଜିଲା କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ କରିଥିଲେ।
ଅଭିଯୋଗ ଅନୁଯାୟୀ, ଟାଟା ଷ୍ଟିଲ ବିଏସ୍‌ଏଲ୍‌ରେ କାର୍ଯ୍ୟରତ ଠିକାଦାର ସଂସ୍ଥା ବର୍ଷା ଇଣ୍ଟରପ୍ରାଇଜର୍ସ ବିନା ନୋଟିସରେ ଗତ ବର୍ଷ ଜୁଲାଇରେ ୩୦୦ ଶ୍ରମିକଙ୍କୁ ଛଟେଇ କରିଛି। ଆଇନ ଅନୁଯାୟୀ ରିଟ୍ରେଞ୍ଜମେଣ୍ଟ କ୍ଷତିପୂରଣ ଦେବାକୁ ସେମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ। ଏହାସତ୍ତ୍ୱେ କୌଣସି ପଦକ୍ଷେପ ନିଆଗଲାନାହିଁ। ଏ ନେଇ ଶ୍ରମିକମାନେ ସେମାନଙ୍କ ଉପଦେଷ୍ଟା ଇଂ. ଦେବାଶିଷ ହୋତାଙ୍କ ସହ ଜିଲା ଶ୍ରମ ଅଧିକାରୀଙ୍କୁ ଭେଟି ୬୩ ଲକ୍ଷ ୬୨ ହଜାର ୭୫୦ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ହେଲେ ଜିଲା ଶ୍ରମ ଅଧିକାରୀ ମାମଲାକୁ ବନ୍ଦ କରି ଭୁବନେଶ୍ୱର ଇଷ୍ଟ୍ରଷ୍ଟିଆଲ୍‌ ଟ୍ରିବ୍ୟୁନାଲକୁ ପଠାଇଦେବାକୁ କହିଥିଲେ। ଜିଲା ଶ୍ରମ କାର୍ଯ୍ୟାଳୟରୁ ନିରାଶ ହେବା ପରେ ଶ୍ରମିକମାନେ ମଙ୍ଗଳବାର ବିକ୍ଷୋଭ କରି ହକ୍‌ଦାବି କରିଛନ୍ତି। ଲେବର କଣ୍ଟ୍ରାକ୍ଟର, ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଛଟେଇ ଶ୍ରମିକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସେମାନେ ଲିଖିତ ଭାବେ ଦାବି କରିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଧାରଣାସ୍ଥଳକୁ ଆସି ଶ୍ରମିକଙ୍କ ଦାବିପତ୍ର ଗ୍ରହଣ କରିଥିଲେ। ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।