୩ଦିନ ହେଲା ମଧ୍ୟାହ୍ନଭୋଜନ ବନ୍ଦ: ତାଲା ଭାଙ୍ଗି ସ୍କୁଲ କମିଟିକୁ ଦାୟିତ୍ୱ ଦେଲା ପ୍ରଶାସନ

ରଣପୁର,୭ା୩(ସ୍ବ.ପ୍ର.): ରଣପୁର ବ୍ଳକ ଚାନ୍ଦପୁରସ୍ଥିତ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ୩ଦିନ ଧରି ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା। ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ମାରିବା ପରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ପରେ ଶୁକ୍ରବାର ରଣପୁର ବିଇଓ ଉପେନ୍ଦ୍ର ନାଥ ସାହୁ, ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକ ଓ ଅତିରିକ୍ତ ଶିକ୍ଷା ଅଧିକାରୀ ରତ୍ନାକର ପାଣି ପ୍ରମୁଖ ସ୍କୁଲରେ ପହଞ୍ଚି ରୋଷେଇ ଘରୁ ତାଲା ଭାଙ୍ଗିଥିଲେ। ଶନିବାରଠାରୁ ସ୍କୁଲ ପରିଚାଳନା କମିଟି ମଧ୍ୟାହ୍ନଭୋଜନ ଦେବ ବୋଲି ଅଧିକାରୀମାନେ କମିଟି କର୍ମକର୍ତ୍ତାଙ୍କ ସମ୍ମୁଖରେ ପ୍ରଧାନଶିକ୍ଷକଙ୍କୁ କହିଥିଲେ। ସୂଚନାଯୋଗ୍ୟ ରଘୁ ଦିବାକର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଅଧ୍ୟୟନ କରନ୍ତି। କିନ୍ତୁ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ୧୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉଛି। ଏଠାରେ ଗଜଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀ କିଛି ବର୍ଷ ହେବ ମଧ୍ୟାହ୍ନଭୋଜନ ଦେଇଆସୁଥିଲା। ତେବେ ମଧ୍ୟାହ୍ନଭୋଜନର ମାନ ଠିକ୍‌ ରହୁ ନ ଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଉଠିଥିଲା। ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଗତ ୩ ତାରିଖରେ ସ୍କୁଲ ପରିଚାଳନା କମିଟିର ବୈଠକ ହୋଇଥିଲା। ଏଥିରେ ମଧ୍ୟାହ୍ନଭୋଜନର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ଏପରି କି ସ୍ବୟଂ ସହାୟିକା ଗୋଷ୍ଠୀକୁ ମଧ୍ୟାହ୍ନଭୋଜନରୁ ବାଦ୍‌ ଦେବାକୁ ରିଜୋଲୁଶନ କରାଯାଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ରୋଷେଇ ଘରେ ତାଲା ପକାଇ ଦେଇଥିଲେ।