୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ ବଡ ଧରଣର ଡାଟା ଚୋରି ଘଟଣା ସାମ୍ନାକୁ ଆସିଛି। ନିଯୁକ୍ତି ସନ୍ଧାନରେ ରହିଥିବା ୨.୯ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ ସାଇବର ଅପରାଧୀମାନେ ଚୋରି କରିଥିବା ଜଣାପଡିଛି। ଡାର୍କଓ୍ବେବ୍‌ରୁ ଏହି ଡାଟା ଚୋରି ହୋଇଥିବା ଅନ୍‌ଲାଇନ ଇଣ୍ଟେଲିଜେନ୍ସ ଫାର୍ମ ସାଇବଲ ପକ୍ଷରୁ ସୂଚନା ଦିଆଯାଇଛି। ଫେସ୍‌ବୁକ୍‌ ଏବଂ ଭାରତୀୟ ଟେକ୍ନୋଲୋଜି ଫାର୍ମ ଅନଆକାଡେମି କମ୍ପାନୀ ଉପରେ ହ୍ୟାକିଂ ହୋଇଥିବା ସାଇବଲ ନିକଟରେ ସ୍ପଷ୍ଟ କରିଥିଲା। ଡାଟା ଚୋରି ଘଟଣା ବିଭିନ୍ନ ସମୟରେ ଦେଖାଯାଇଥାଏ। ହେଲେ ଏହି ଘଟଣାରେ ବିଶେଷକରି ଶିକ୍ଷା ଏବଂ ଠିକଣାକୁ ସାଇବର କ୍ରିମିନାଲମାନେ ଚୋରି କରିଥିବା ସାଇବଲ ଏହାର ବ୍ଲଗ୍‌ରେ ଉଲ୍ଲେଖ କରିଛି। କେଉଁ ସୋର୍ସରୁ ଡାଟା ଲିକ୍‌ ହୋଇଛି ସେ ଉପରେ କମ୍ପାନୀ ବର୍ତ୍ତମାନ ବିଚାର କରୁଛି। ଚୋରି ହୋଇଥିବା ଡାଟା ମଧ୍ୟରେ ଇମେଲ୍‌, ଫୋନ୍‌, ଘର ଠିକଣା, ଶିକ୍ଷାଗତ ଯୋଗ୍ୟତା ଏବଂ କାର୍ଯ୍ୟ ଅଭିଜ୍ଞତା ଭଳି ବିଭିନ୍ନ ତଥ୍ୟ ସାମିଲ ରହିଛି। ଠକେଇ ସମେତ ଅନ୍ୟ କାର୍ଯ୍ୟରେ ଡାଟାକୁ ବ୍ୟବହାର କରିବା ଲାଗି ସାଇବର ଅପରାଧୀମାନେ ଏଭଳି କାଣ୍ଡ ଭିଆଇ ଥାନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

Share