୨ ହାତୀଦାନ୍ତ ଜବତ: ୫ ଗିରଫ

ବାରିପଦା ଅଫିସ ୧୪ା୨- ମୟୂରଭଞ୍ଜ ଜିଲା ବାରିପଦା ରେଞ୍ଜ ଅଧୀନ ଟିଟିଆ ଛକରୁ ବନ ବିଭାଗ ଗୁରୁବାର ସନ୍ଧ୍ୟାରେ ଦୁଇଟି ହାତୀଦାନ୍ତ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦଳା ଥାନା ଅନ୍ତର୍ଗତ ଉପର ତଳଡିହାର ଦେବେନ୍ଦ୍ର ମାହାଲି, ଜଗନ୍ନାଥ ସିଂ, ପଙ୍କଜ କୁମାର ମାହାଲି, ବିନୁ ସିଂ ଓ ଜାମୁଡ଼ିହାର ସୁଶାନ୍ତ ସିଂ।
ସୂଚନା ଅନୁଯାୟୀ, ହାତୀଦାନ୍ତ ଚାଲାଣ ହେଉଥିବା ସମ୍ପର୍କରେ ବିଶେଷ ସୂତ୍ରରୁ ଖବରପାଇ ବନ ବିଭାଗ ଟିଟିିଆ ଛକଠାରେ ଛପି ରହିଥିଲା। ସନ୍ଧ୍ୟା ସମୟରେ ଏକ ଅଟୋ (ଓଡ଼ି ୧୧- ୫୨୮୦)ରେ ଯୁବକମାନେ ହାତୀ ଦାନ୍ତ ନେଇ ଯାଉଥିବା ସମୟରେ ବନ ବିଭାଗ ସେମାନଙ୍କୁ ଗିରଫ କରିଥିଲା। ଅଟୋ ସହ ହାତୀ ଦାନ୍ତକୁ ଜବତ କରାଯାଇଥିଲା। ଗୋଟିଏ ହାତୀଦାନ୍ତର ଓଜନ ୬୦୦ ଗ୍ରାମ୍‌ ହୋଇଥିବା ବେଳେ ଅନ୍ୟଟିର ଓଜନ ୭୦୦ ଗ୍ରାମ୍‌ । ଜବତ ହାତୀଦାନ୍ତର ମୂଲ୍ୟ ୬୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନ ବିଭାଗ ପ୍ରକାଶ କରିଛି। ଏ ନେଇ ଏକ ମାମଲା (ନଂ.୬୪ /୨୦) ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବାରିପଦା ରେଞ୍ଜର ଲକ୍ଷ୍ମୀଧର ବେହେରା କହିଛନ୍ତି। ଏହି ଚଢ଼ାଉରେ ଫରେଷ୍ଟର ପ୍ରଶାନ୍ତ କୁମାର ସିଂ ସାମନ୍ତ, ତ୍ରିନାଥ ସାମଲ, ଅନିଲ କୁମାର ମହାନ୍ତଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସାମିଲ ହୋଇଥିଲେ।