୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଜଗନ୍ନାଥପ୍ରସାଦ ପଞ୍ଚାୟତ ଇନ୍ଦ୍ରଗଡ ସାହିକୁ ରବିବାର ସକାଳୁ ଶଟ୍‌ଡାଉନ୍‌ କରାଯାଇଛି।
ସ୍ବାସ୍ଥ୍ୟକର୍ମୀ ଦ୍ୱୟ କିପରି ସଂକ୍ରମିତ ହେଲେ ଜଣାପଡି ନ ଥିଲେ ମଧ୍ୟ ବିଭିନ୍ନ କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ରେଜିଷ୍ଟ୍ରେଶନ୍‌ କରୁଥିବା ସୂଚନା ମିଳିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖି ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷରେ ସେମାନେ କାର୍ଯ୍ୟକରୁଥିବା ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀମାନଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଜଗନ୍ନାଥପ୍ରସାଦ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ଯୁବରାଜ ସ୍ବାଇଁ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ସୋମବାର ସକାଳ ୯ଟାରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଶଟ୍‌ଡାଉନ୍‌ କରାଯିବ ବୋଲି ସରପଞ୍ଚ ଦେବୀପ୍ରସାଦ ମହାପାତ୍ର କହିଛନ୍ତି। ଏହି ସମୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ବାସ୍ଥ୍ୟ ଟିମ୍‌ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ। ଆବଶ୍ୟକ ପଡିଲେ ଶଟ୍‌ଡାଉନ୍‌ ଅବଧି ବୃଦ୍ଧି କରାଯିବ ବୋଲି ସରପଞ୍ଚ ମହାପାତ୍ର ସୂଚନା ଦେଇଛନ୍ତି।