୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟଣା: ୨ ମୃତ

ସୋରଡା,୧୨ା୧୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୋରଡା ଥାନା ନୂଆଗଡ ଗ୍ରାମ ଖଦାଳସାହିରେ ମଙ୍ଗଳବାର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ୫ଜଣ ଗୁରୁତର ଆହତ ହୋଇ ସୋରଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ହେଲେ ଉକ୍ତ ସାହିର ମନୋଜ ନାୟକ (୨୬) ଓ ପୁନିଆ ନାୟକ (୬୦)। ମନୋଜଙ୍କ ବାପା ବିଦୁ, ମା’ ଗେଲି, ଜେଜେବାପା ଉଲା, ଜେଜେ ମା’ ଇନ୍ଦୁ, ଭାଇ ସୌଦାଗର ଗୁରୁତର ଆହତ ହୋଇଛନ୍ତି। ସୋରଡା ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ପୋଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି। ମୃତ ମନୋଜଙ୍କ ଭାଇ ସୌଦାଗରଙ୍କ ଏତଲା ପ୍ରକାରେ ନଂ.୧୯୧/୧୯ ଓ ମୃତ ପୁନିଆଙ୍କ ପୁଅ ଗାଣ୍ଡୁଙ୍କ ଏତଲା ଆଧାରରେ ନଂ.୧୯୨/୧୯ରେ ମାମଲା ରୁଜୁ ହୋଇଛି। ପୋଲିସ ପୁନିଆଙ୍କ ପକ୍ଷରୁ ଗାଣ୍ଡୁ ନାୟକ, ଟୁଙ୍ଗୁରୁ ନାୟକ, ବାବୁଲି ନାୟକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

ଛତ୍ରପୁରରୁ ସାଇଣ୍ଟିଫିକ୍‌ ଟିମ୍‌ ନୂଆଗଡରେ ପହଞ୍ଚତ୍ ତଦନ୍ତ କରି ଫେରିଛନ୍ତି। ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଡିଏସ୍‌ପି ସଞ୍ଜୟ କୁମାର ମହାପାତ୍ର, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସୋରଡା ଥାନା ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ଗଁାରେ ପୋଲିସ ଫୋର୍ସ ମୁତୟନ ହୋଇଛି।

ଆସିକା ଏସ୍‌ଡିପିଓ ପ୍ରଧାନଙ୍କ ସୂଚନା ପ୍ରକାରେ, ମନୋଜ ଚେନ୍ନାଇରେ ରହି କାମ କରନ୍ତି। ୨ମାସ ତଳେ ସେ ଗଁାକୁ ଆସିଥିଲେ। ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ପୁନିଆଙ୍କ ପରିବାର ବିରୋଧ କରୁଥିଲେ। ମଙ୍ଗଳବାର ପୁନିଆଙ୍କ ପୁତୁରା ଏପରି କାର୍ଯ୍ୟରୁ ନିବୃତ ରହିବାକୁ ମନୋଜଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ପରେ ୨ ପରିବାର ମାରଣାସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ପୋଲିସ ଘଟଣାସ୍ଥଳରୁ ବହୁ ମାରଣାସ୍ତ୍ର ଜବତ କରିଛି।