Categories: ରାଜ୍ୟ

୨ ଦିନ ଝଡ଼ବର୍ଷା ସମ୍ଭାବନା, ୧୦ରୁ ବଢ଼ିବ ତାତି

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏ ପ୍ରଚଣ୍ଡ ଖରା ଲାଗି ରହୁଛି । ଅଧିକାଂଶ ସ୍ଥାନରେ ପାରଦ ୩୮ରୁ ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଛି। ଦିନରେ ତାତି ବଢ଼ିଲେ ମଧ୍ୟ ଅପରାହ୍ନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲାର କେତେକ ସ୍ଥାନରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲାଗୁଡ଼ିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼। ଏଥିସହିତ ଆସନ୍ତା ୨ ଦିନ ଯାଏ ଏଭଳି ପାଗ ରହିବ। ତେବେ ଆସନ୍ତା ୧୦ ତାରିଖରୁ ତାତି ବଢ଼ିବ। ପାରଦ ୪୦ ଡିଗ୍ରୀ ସେଲସିୟସ ଉପରକୁ ଚାଲିଯିବ ବୋଲି ପାଣିପାଗ ବିଭାଗରୁ ପୂର୍ବାନୁମାନ କରାଯାଇଛି।
ମଙ୍ଗଳବାର ରାଜ୍ୟର ବିଭନ୍ନ ଭାଗରେ ତାତିର ପ୍ରକୋପ ବୃଦ୍ଧି ପାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ତାଳଚେରରେ ସର୍ବାଧିକ ୪୦.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ମାଲକାନଗିରି ୪୦, ଅନୁଗୋଳ ୩୯.୫, ବାରିପଦା ୩୯.୪, ଭୁବନେଶ୍ୱର ୩୮.୭, ବାଲାଙ୍ଗୀର ୩୮.୫, ଭବାନୀପାଟଣା ୩୮.୫ ଏବଂ ସୋନପୁରରେ ୩୮.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।