୨ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ

ବରୀ,୨୭ା୪(ସ୍ବ.ପ୍ର.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ର ୨ଜଣ ଡାକ୍ତରଙ୍କୁ ସୋମବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ବରୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଡାକ୍ତର ଜ୍ୟୋତି ଚୌଧୁରୀ ଓ ଜିନ୍ନତ ଦାସ କୋଭିଡ-୧୯ ଡ୍ୟୁଟିରେ ଥିଲେ। ଏହି ସମୟରେ ସୁଧାଂଶୁ ଶେଖର ଶତପଥି(ଟୁକୁ) ନାମକ ଯୁବକ ଡାକ୍ତରଖାନାରେ ପଶି ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିଲେ। ଏନେଇ ବରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ବରୀ ଥାନାଧିକାରୀ ମାର୍କଣ୍ଡ ମିଶ୍ର ଅଭିଯୋଗ ଅନୁଯାୟୀ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ହେଉଛି ବୋଲି କହିଛନ୍ତି।