୨୮ରେ ଜନତା ମଇଦାନରେ ହେବ ଭାଜପାର ଜନସଭା

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୮ରେ ପୂର୍ବାଞ୍ଚଳ ରାଜ୍ୟ ମିଟ୍‌ରେ ଯୋଗଦେବା ଲାଗି ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଶାହା ଲୋକସେବା ଭବନଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ। ଏହି ଅବସରରେ ରାଜ୍ୟ ଭାଜପା ପକ୍ଷରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସଭା ପୂର୍ବରୁ ବରମୁଣ୍ଡା ପଡିଆଠାରେ ହେବାକୁ ଥିବାବେଳେ ଏଥିଲାଗି ଦଳର ରାଜ୍ୟ ନେତୃବୃନ୍ଦ ସରକାରଙ୍କ ପାଖରୁ ରସିଦ ମଧ୍ୟ କାଟି ଦେଇଥିଲେ। ମାତ୍ର ଶେଷ ସମୟରେ ଏଥିରେ ପରିବର୍ତ୍ତନ ହୋଇଛି। ଶାହା ଯୋଗଦେବାକୁ ଥିବା ଜନସଭା ବରମୁଣ୍ଡା ପଡିଆ ବଦଳରେ ଜନତା ମଇଦାନରେ ହେବା ଲାଗି ସ୍ଥିର ହୋଇଛି। ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଝିଅଙ୍କ ବିବାହ ଉତ୍ସବ ବରମୁଣ୍ଡା ପଡିଆଠାରେ ହେବାକୁ ଥିବାରୁ ଭାଜପା କାର୍ଯ୍ୟକ୍ରମ ଲାଗି ସ୍ଥାନ ମିଳି ନ ଥିବା ଭାଜପାର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି। ଅନ୍ୟପଟେ ଶାହାଙ୍କ କାର୍ଯ୍ୟକ୍ରମ ସଫଳ କରିବା ଲାଗି ଭାଜପା ପକ୍ଷରୁ ଜିଲାସ୍ତରୀୟ ନେତାଙ୍କୁ ସୂଚନା ଦିଆଯିବା ସହିତ ସବୁଠାରେ ଖବରଦାତା ସମ୍ମିଳନୀ ସରିଛି। ବର୍ତ୍ତମାନ ମଣ୍ଡଳସ୍ତରରେ ସମସ୍ତଙ୍କୁ ଏନେଇ ଜଣାଯାଉଛି। ପ୍ରାୟ ୧ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଏଥିରେ ଯୋଡିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ବିଧାୟକଙ୍କ ଠାରୁ ଆରମ୍ଭ କରି ଜିଲା ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କର୍ମୀଙ୍କୁ ଆଣି ଆସିବାକୁ କହିଦିଆସରିଲାଣି। ବିଧାୟକସ୍ତରୀୟ ବୈଠକ ମଧ୍ୟ କରାଯାଇ ଜନସଭାକୁ ସଫଳ କରିବା ଉପରେ ରଣନୀତି ପ୍ରସ୍ତୁତ ହୋଇଛି।