Categories: ଜାତୀୟ

୨୫ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ ମାସକୁ ଏକ କୋଟି କ୍ଷତିପୂରଣ: ଏନଜିଟି

ନୂଆଦିଲ୍ଲୀ,୨୬।୫: ବର୍ଜ୍ୟ ପ୍ଲାଷ୍ଟିକ୍‌ ନିଷ୍କାସନ ଯୋଜନା ସମ୍ପର୍କରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ତଥ୍ୟ ଦାଖଲ କରି ନ ଥିବାରୁ ୨୫ ରାଜ୍ୟ ସରକାରଙ୍କୁ ମାସିକ ଏକ କୋଟି ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିବ। ଏନେଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସମୟ ସୀମା ୨୦୧୯ ଏପ୍ରିଲ୍‌ ୩୦ ଧାର୍ଯ୍ୟ କରାଯାଇଥିଲା। ତେବେ ଇତିମଧ୍ୟରେ କେବଳ ଆନ୍ଧ୍ରପ୍ରଦେଶ, ସିକିମ୍‌ ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାର ସେମାନଙ୍କର ଆକ୍ସନ ପ୍ଲାନ୍‌ ଦାଖଲ କରିଥିବା କୁହାଯାଉଛି। ଫଳରେ ମେ ୧ ଠାରୁ ସମ୍ପୃକ୍ତ ରାଜ୍ୟ ସରକାର ଏହି କ୍ଷତି ପୂରଣ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବେ। ଦେଶର ଆଣ୍ଡାମାନ ନିକୋବର, ଅରୁଣାଚଳପ୍ରଦେଶ, ଚଣ୍ଡିଗଡ଼, ଡାମନ୍‌ ଡିୟୁ, ଦାଦରା ନାଗର ହାଭେଲୀ, ଦିଲ୍ଲୀ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡ଼ଖଣ୍ଡ, କର୍ନାଟକ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ତାମିଲ୍‌ନାଡୁ,ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୨୨ଟି ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ତେବେ ଆବଶ୍ୟକ ନିୟାମକ ଅଭାବରୁ ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରି ପାରୁ ନ ଥିବା କୁହାଯାଉଛି।

Share