୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ

କେନ୍ଦୁଝର, ୩୦ା୫(ଡି.ଏନ.ଏ.)-ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଶୁକ୍ରବାର ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ା ବୈଠକରେ ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରେମାନନ୍ଦ ନାୟକ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି, ଜିଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଡଃ ଉଦ୍ଧବ ଚନ୍ଦ୍ର ମାଝି, ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜିଲାପାଳ ଠାକ୍‌ରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ଏବେଠାରୁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେବା ସହିତ ବନ୍ୟା ହେଲେ ତା’ର ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ା ଜିଲାସ୍ତରରେ ଏବଂ ବ୍ଲକ୍‌ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟକ୍ଷମ ଉପରେ ଜିଲାପାଳ ଗୁରୁତ୍ୱାରୋପ କରି ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଚୁଡା, ବିସ୍କୁଟ୍‌, ଚାଉଳ, ଗୁଡ, କିରୋସିନି, ମହମବତୀ, ଦିଆସିଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ତଥା ଅନ୍ୟାନ୍ୟ ରିଲିଫ୍‌ ସାମଗ୍ରୀ ମହଜୁଦ୍‌ ରଖିବା ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲାପାଳ ବେସାମରିକ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜଳ ସମ୍ପଦ ବିଭାଗ ଅଧୀନ ନଦୀବନ୍ଧଗୁଡିକରେ ଦୁର୍ବଳ ସ୍ଥାନମାନଙ୍କର ଆଶୁ ମରାମତି ସହ ପର୍ଯ୍ୟାପ୍ତ ପରିମାଣରେ ବାଲିବସ୍ତା, ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବିଭାଗୀୟ ଯନ୍ତ୍ରୀ/ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଦେଶୀ ଡଙ୍ଗା ଓ ପାୱାର୍‌ ବୋଟ୍‌ ପ୍ରସ୍ତୁତ ରଖିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଉପଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବନ୍ୟା ସମୟରେ ପ୍ରାଣୀଧନର ଚିକିତ୍ସା ଓ ଗୋଖାଦ୍ୟ ଯୋଗାଣ, କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟକ୍ଷମ ବାବଦରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିର ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରାଯାଇଥିଲା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ସେମାନଙ୍କ ବିଭାଗର ଆକ୍ସ୍‌ନ ପ୍ଲାନ୍‌ ଅତିଶୀଘ୍ର ଦାଖଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା