୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ, କର୍ତ୍ତବ୍ୟରେ ଅବହେଳା ମୁଖ୍ୟ ଜେଲ ଓ୍ବାଡର ନିଲମ୍ବିତ

ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ କିଆବୁଦାରୁ ଜେଲ କର୍ମଚାରୀମାନେ ତାଙ୍କୁ କାବୁ କରିଛନ୍ତି। ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଗତ ଡିସେମ୍ବର ୭ରେ ଛତ୍ରପୁର ସବ୍‌ଜେଲକୁ ଆସିଥିଲେ। ସେ ସୋମବାର ପାଚେରି ଡେଇଁ ପଳାଇଯାଇଥିବା ନେଇ ସବ୍‌ଜେଲ ସୁପରିଣ୍ଟେଣ୍ଡେଣ୍ଟ ଶୁଭସ୍ମିତା ବିଶ୍ୱାଳ ମଙ୍ଗଳବାର ଛତ୍ରପୁର ଥାନାରେ ଏତଲା ଦେଇଥିଲେ। ଏଥିସହ ଏ ସମ୍ପର୍କରେ ସେ ଡିଆଇଜି(ପ୍ରିଜନ୍‌) ରଘୁନାଥ ମାଝିଙ୍କୁ ମଧ୍ୟ ଜଣାଇଥିଲେ। ଡିଆଇଜି ମାଝିଙ୍କ ସମେତ ବ୍ରହ୍ମପୁର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଏ. କେ. ସିହ୍ନା, ଛତ୍ରପୁର ଏସ୍‌ଡିପିଓ ଗୌତମ କିଶାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସବ୍‌ଜେଲରେ ପହଞ୍ଚି ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍‌ ଯାଞ୍ଚ ଓ ଜେଲ୍‌ ପଛପଟ ପାଚେରି ବାହାରେ ଥିବା ଚିହ୍ନରୁ ଅଭିଯୁକ୍ତ ପାଚେରି ଡେଇଁ ଚମ୍ପଟ ମାରିଥିବା ଜଣାପଡିଥିଲା। କବିରାଜଙ୍କ ବିରୋଧରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣିଥିଲେ। ଗତ ମାର୍ଚ୍ଚ ୬ ତାରିଖରେ ଏ ନେଇ ଛତ୍ରପୁର ଥାନାରେ ଏତଲା ହୋଇଥିଲା। ଏହାପରେ କବିରାଜ ଫେରାର୍‌ ଥିଲେ। ଡିସେମ୍ବର ୭ ତାରିଖରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସୋମବାର ସନ୍ଧ୍ୟାରେ ଜେଲ ଅନ୍ତେବସୀଙ୍କ ଗଣତି ବେଳେ କବିରାଜ ନ ଥିବା ଜଣାପଡ଼ିଥିଲା। ମଙ୍ଗଳବାର ପୂର୍ବାହ୍ନରେ ଏ ସମ୍ପର୍କରେ ଛତ୍ରପୁର ଥାନାରେ ଅବଗତ କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଯୋଗୁ ମୁଖ୍ୟ ଜେଲ ଓ୍ବାଡର ଚିତ୍ତରଞ୍ଜନ ନାୟକଙ୍କୁ ବ୍ରହ୍ମପୁର ଜେଲ ଡିଆଇଜି ରଘୁନାଥ ମାଝି ନିଲମ୍ବିତ କରିଛନ୍ତି।