୨୩ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ମିଳିବ ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର, (ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୨୬।୮ (ଡି.ଏନ୍‌.ଏ.):୩ଦିନର ଆନ୍ଦୋଳନ ପରେ ଶେଷରେ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଥଇଥାନ ନେଇ ପ୍ରତିଶ୍ରୁତି ମିଳିଛି। ଆସନ୍ତା ୩ମାସ ମଧ୍ୟରେ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍‌ ଯୋଗାଇ ଦିଆଯିବ। ସେ ପର୍ଯ୍ୟନ୍ତ ସେମାନେ ପୁରୁଣା ବସ୍‌ ଷ୍ଟାଣ୍ଡ୍‌ରେ ଅସ୍ଥାୟୀ ଭାବେ ବ୍ୟବସାୟ କରିପାରିବେ ବୋଲି ନିଷ୍ପତ୍ତି ହେବା ପରେ ବିଏମ୍‌ସି ଅଫିସ୍‌ ସମ୍ମୁଖରେ ଧାରଣାରେ ବସିଥିବା ଦିବ୍ୟାଙ୍ଗ ବ୍ୟବସାୟୀମାନେ ଗୁରୁବାର ଆନ୍ଦୋଳନରୁ ଉଠିଛନ୍ତି। ବିଏମ୍‌ସି ଅଧିକାରୀ ପ୍ରମୋଦ କୁମାର ପୃଷ୍ଟି, ଭାଜପା ନେତା ବାବୁ ସିଂ, ବଡ଼ଗଡ଼ ଥାନା ଆଇଆଇସିଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଥଇଥାନ ନେଇ ବିଏମ୍‌ସି ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂରେ ୨୦ବର୍ଷରୁ ଊଦ୍ଧର୍‌ବ ହେବ ୨୩ଜଣ ଦିବ୍ୟାଙ୍ଗ ବ୍ୟବସାୟୀ ଅସ୍ଥାୟୀ ଦୋକାନ ଖୋଲି ଖେଳନା, ଇୟରବଡ଼, ନେଲ୍‌ କଟର, ସେପ୍ଟିପିନ, ଗନ୍ଧକର୍ପୂର ଆଦି ଜିନିଷ ବିକ୍ରି କରି ନିଜ ଗୋଡ଼ରେ ଛିଡ଼ା ହେବାକୁ ଉଦ୍ୟମ କରୁଥିଲେ। ଏଥିସହ ଏହି ରୋଜଗାରରେ ସେମାନଙ୍କ ପରିବାର ଚଳୁଥିଲା। ମାତ୍ର ସ୍ଥାୟୀ ବ୍ୟବସାୟୀଙ୍କ ବିରୋଧ ଓ ବିଏମ୍‌ସିର ପଦକ୍ଷେପ ଯୋଗୁ ମାର୍କେଟ ବିଲ୍ଡିଂରେ ଅସ୍ଥାୟୀ ଓ ଉଠାଦୋକାନୀଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଛି। ନିକଟରେ ମଧ୍ୟ ସ୍ଥାୟୀ ଓ ଅସ୍ଥାୟୀ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ବିଏମ୍‌ସି ପକ୍ଷରୁ ଉଠାଇ ଦିଆଯାଇଛି। ଫଳରେ ରୋଜଗାର ବନ୍ଦ ହୋଇ ଯାଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବିଏମ୍‌ସିର ଏତାଦୃଶ କାର୍ଯ୍ୟକୁ ବିରୋଧ କରି ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ୩ଦିନ ହେବ ଧାରଣାରେ ବସିଥିଲେ। ସେମାନଙ୍କୁ ସମର୍ଥନ କରି ଭୁବନେଶ୍ୱର ସାଂଗଠନିକ ଜିଲା ଭାଜପା ସଭାପତି ବାବୁ ସିଂ ଆନ୍ଦୋଳନରେ ସାମିଲ ହେବା ସହ ଆନ୍ଦୋଳନକୁ ତୀବ୍ରତର କରିଥିଲେ। ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା ହେବା ପରେ ଶେଷରେ ସମାଧାନ ହୋଇଥିବାରୁ ଦିବ୍ୟାଙ୍ଗ ବ୍ୟବସାୟୀମାନେ ବିଏମ୍‌ସି ଓ ବାବୁ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି।