୨୩ରେ ଇକୋ ରିଟ୍ରିଟ୍‌ରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କୋଣାର୍କ ନିକଟରେ ଚାଲିଥିବା ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ୍‌ ଉତ୍ସବସ୍ଥଳରେ ଦୁଇଦିନିଆ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବ ସମ୍ମିଳନୀ ଅନୁଷ୍ଠିତ ହେବ। ଜାନୁୟାରୀ ୨୩ ଓ ୨୪ରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ଯୋଗ ଦେବେ। ଏଥିପାଇଁ ସମସ୍ତ ରାଜ୍ୟକୁ ନିମନ୍ତ୍ରଣ କରାଯାଇଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି। କେତେକ ରାଜ୍ୟର ମନ୍ତ୍ରୀମାନେ ଯୋଗଦେବା ନେଇ ସହମତି ପ୍ରକାଶ କରି ସାରିଛନ୍ତି। ଏଥିରେ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ସଚିବମାନେ ମଧ୍ୟ ଯୋଗଦେବେ। ରାଜ୍ୟରେ ପର୍ଯ୍ୟଟନର ବିକାଶ କରିବା ସହ ଏ ଦିଗରେ ରାଜ୍ୟ ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବ। ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପାଣିଗ୍ରାହୀ କହିଛନ୍ତି। ଓଡ଼ିଶା ପର୍ଯ୍ୟଟନକୁ ସମଗ୍ର ଦେଶରେ ବ୍ୟାପକ କରିବା ଲକ୍ଷ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି।