୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ବଡ଼କୁଳ ଗ୍ରାମରେ।
ପ୍ରକାଶ ଯେ, ଗ୍ରାମର ପୂର୍ଣଚନ୍ଦ୍ର ଭୁଜବଳ ଦୀର୍ଘ ୨୨ ହେବ ଘର ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇ ନ ଥିଲେ। ତେବେ ମହାମାରୀ କରୋନା ଯୋଗୁ ଗତ କିଛିଦିନ ତଳେ ପୂର୍ଣ୍ଣଚନ୍ଦ୍ର ଗାଁକୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଏହା ଜଣାପଡ଼ିବା ପରେ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସାଙ୍ଗସାଥି, ପରିଜନ ସମସ୍ତେ ତାଙ୍କୁ ଦେଖା କରିବାକୁ ଚାହିଁ ବସିଥିଲେ। କିନ୍ତୁ ପୁଅକୁ ଦେଖିବା ପାଇଁ ସବୁଠାରୁ ବେଶୀ ବ୍ୟାକୁଳ ହୋଇପଡ଼ିଥିଲେ ତାଙ୍କ ମା’ । ଶନିବାର ପୂର୍ଣ୍ଣଚନ୍ଦ୍ରଙ୍କର କ୍ୱାରାଣ୍ଟାଇନ ଅବଧି ଶେଷ ହେବା ପରେ ପରିବାର ସମେତ ସାଙ୍ଗସାଥି ସାମାଜିକ ଦୂରତା ଅବଲମ୍ବନକରି ତାଙ୍କୁ ଘରକୁ ପାଛୋଟି ନେଇଥିଲେ। ପୁଅକୁ ପାଖରେ ପାଇ କିଛି ସମୟ ପାଇଁ ତାଙ୍କ ମା’ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ । ଦୀର୍ଘ ୨୨ ବର୍ଷ ଧରି ନିଖୋଜ ଥିବା ପୁଅକୁ ପାଖରେ ପାଇ ମା’ ଏବଂ ପରିବାର ଲୋକେ ଖୁସି ହୋଇଛନ୍ତି।