୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ ଗଲେ ୧୧ କଏଦୀ

କେନ୍ଦୁଝର,୮ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜେଲରେ କଏଦୀଙ୍କ ସଂଖ୍ୟା ଅଧିକ ଥିବାରୁ ଏହା କରୋନା ମୁକାବିଲା ଦିଗରେ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରି ସରକାର ବିଚାରାଧିନ ବନ୍ଦୀଙ୍କୁ ଅନ୍ତରୀଣ ଜାମିନ ଓ ପାରୋଲରେ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ନିଶା କାରବାର,ବଳାକତ୍ାର,ଯୌନ ନିର୍ଯାତନା,ଏସିଡ୍‌ ମାଡ଼ ମାମଲାରେ ଅଭିଯୁକ୍ତ କିମ୍ବା ଦଣ୍ଡିତ ବ୍ୟକ୍ତିଙ୍କୁ ବାଦ ଦେଇ ଅନ୍ୟ କଏଦୀଙ୍କୁ ଛାଡିବାର ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଭିନ୍ନ ଅପରାଧରେ କାରାଦଣ୍ଡ ଭୋଗୁଥିବା ୩୨ଜଣ କଏଦୀଙ୍କୁ ୨୧ ଦିନିଆ ସ୍ବତନ୍ତ୍ର ଛୁଟିରେ(ଫଲୋ) ଛଡା ଯିବା ପାଇଁ ନିଷ୍ପତ୍ତି ହୋଇଥିଲା। କେନ୍ଦୁଝର ମୁଖ୍ୟ କାରାଗାର କର୍ତ୍ତୃପକ୍ଷ ମଙ୍ଗଳବାର ୩ ଏବଂ ବୁଧବାର ୮ଜଣ କଏଦୀଙ୍କୁ ୨୧ ଦିନଆ ସ୍ବତନ୍ତ୍ର ଛୁଟିରେ ଛାଡ଼ିଛନ୍ତି। ଏହି କଏଦୀମାନେ ପୂର୍ବରୁ ମଧ୍ୟ ସ୍ବତନ୍ତ୍ର ଛୁଟିରେ ଯାଇ ଠିକ୍‌ ସମୟରେ ଫେରି ଆସିଥିଲେ। ବୁଧବାର କାରାଗାର କର୍ତ୍ତୃପକ୍ଷ କଏଦୀମାନଙ୍କ ପରିବାର ଲୋକଙ୍କୁ ଡାକି ଦସ୍ତାବିଜ୍‌ ଯାଞ୍ଚ କରିଥିଲେ। ବାମେବାରୀ ଥାନା ଅଞ୍ଚଳର ଶତୃଘ୍ନ ମାଝୀ,ମାଖନ ମାଝୀ,ସଦର ଥାନା ଅଞ୍ଚଳର ସୁନାକର ବେହେରା, କ୍ଷେତ୍ର ମୁଣ୍ଡା, ବିପିନ ଦେହୁରୀ, ନୟାକୋଟ ଥାନା ଅଞ୍ଚଳର ମାସା ମୁଣ୍ଡା, ତେଲକୋଇ ଥାନା ଅଞ୍ଚଳର ଶିବଚରଣ ମହାନ୍ତ, ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଞ୍ଚଳର ନବକିଶୋର ନାୟକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜେଲ କମିଟି ପକ୍ଷରୁ ଏକ ସମୀକ୍ଷା ବୈଠକ ଜିଲା ଜଜ୍‌ ବେଣୁଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାପାଳ ଆଶିଷ ଠାକ୍‌ରେ,ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର, ଜିଲା ଆଇନ ସେବା ପ୍ରାଧିକରଣର ସଚିବ ସୌଦାମିନୀ ବିଶ୍ୱାଳଙ୍କ ସମେତ କେନ୍ଦୁଝର, ଚମ୍ପୁଆ, ଆନନ୍ଦପୁର ଓ ବଡବିଲ କାରାଗାରର ସୁପରିଣ୍ଟେଣ୍ଡେଣ୍ଟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।