Categories: ଗଞ୍ଜାମ

୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ବ୍ୟକ୍ତି ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଚିତ୍ରକୁଟ ସାହିର ମନୋଜ ନାୟକ(୩୫)। ଗତ ୧୪ ତାରିଖରେ ମନୋଜ ନିଜକୁ କାଳିଆ ଯୋଜନାର ଏଜେଣ୍ଟ ପରିଚୟ ଦେଇ ସଦର ଥାନା ଗୟଲବାଡ ଗ୍ରାମର ହୃଷିକେଶ ସାହୁଙ୍କୁ ଭେଟିଥିଲେ। ତାଙ୍କ ଆକାଉଣ୍ଟରେ କାଳିଆ ଟଙ୍କା ଆସିଛି ନା ନାହିଁ ଚେକ୍‌ କରିବାକୁ ଏଟିଏମ୍‌ କାର୍ଡ ମାଗିଥିଲେ। ସେ ଏହା ଦେବାରୁ କୌଶଳ କ୍ରମେ ମନୋଜ ଏଟିଏମ କାର୍ଡକୁ ବଦଳାଇ ତାଙ୍କୁ ଆଉ ଏକ କାର୍ଡ ଦେଇ ଦେଇଥିଲେ। ପରେ ସେ ଏଫ୍‌ସିଆଇ ଛକ ଏଟିଏମ୍‌ରୁ ୨୦ ହଜାର ଟଙ୍କା ଉଠାଇ ନେଇ ଯାଇଥିଲେ। ଆକାଉଣ୍ଟରୁ ଟଙ୍କା ଉଠିବା ନେଇ ହୃଷିକେଶଙ୍କ ମୋବାଇଲ ଫୋନକୁ ମେସେଜ ଯାଇଥିଲା। ସେ ଠକାମୀର ଶୀକାର ହୋଇଥିବା ଜାଣି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୧୦୦/୧୯ରେ ମାମଲା ରୁଜୁ କରି ଏଟିଏମ୍‌ରେ ଲାଗିଥିବା ସିସିଟିଭି ଫୁଟେଜରୁ ମନୋଜଙ୍କୁ ଚିହ୍ନଟ କରି ତାଙ୍କ ଘରୁ ଗିରଫ କରିଥିଲା।