୨୦୨୪ ସୁଦ୍ଧା ୧୦୦ ନୂଆ ବିମାନ ବନ୍ଦର; ଯାତ୍ରା କରିବ ୧୫୦ରୁ ଅଧିକ ଟ୍ରେନ୍‌

ନୂଆଦିଲ୍ଲୀ,୧।୨: ଚଳିତ ବର୍ଷର ବଜେଟ୍‌ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଉପସ୍ଥାପନ କରିଛନ୍ତି। ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ବହୁ ଯୋଜନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ୨୦୨୪ ସୁଦ୍ଧା ଦେଶରେ ୧୦୦ ନୂଆ ବିମାନ ବନ୍ଦର ନର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ୧୫୦ରୁ ଅଧିକ ଟ୍ରେନ୍‌ ଚଳାଚଳ କରିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ବଡ଼ ସହର ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ତେଜସ୍‌ ଭଳି ଟ୍ରେନ୍‌ ଚଳାଚଳ ଉପରେ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ସେହିପରି ୫ଟି ନୂଆ ସ୍ମାର୍ଟ ସିଟି ନିର୍ମାଣ କରାଯିବ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯୁବବର୍ଗଙ୍କୁ ନୂତନ ନିଯୁକ୍ତି ଯୋଗାଇ ଦିଆଯିବ। ଦେଶରେ ୨୫୦୦ କିମି ଏକ୍ସପ୍ରେସ୍‌ ଓ୍ବେ, ୯୦୦୦ କିମି ଇକୋନୋମିକ୍‌ କରିଡର, ୨୦୦୦ କିମିର ଷ୍ଟ୍ରାଟେଜିକ୍‌ ହାଇଓ୍ବେ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦିଲ୍ଲୀ-ମୁମ୍ବାଇ ଏବଂ ଚେନ୍ନାଇ ବେଙ୍ଗାଲୁରୁ ଏକ୍ସପ୍ରେସ୍‌ ଓ୍ବେର ନିର୍ମାଣ ଶୀଘ୍ର ସମ୍ପନ୍ନ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶର ସମସ୍ତ ଜିଲାରେ ଏକ୍ସପୋର୍ଟ ଜୋନ୍‌ ସ୍ଥାପନ କରିବାକୁ କେନ୍ଦ୍ରୀୟ ବଜେଟରେ ଯୋଜନା ରହିଛି। ଏହାଦ୍ୱାରା ଛୋଟ ଏବଂ ମଧ୍ୟମ ବର୍ଗର ବ୍ୟବସାୟୀ ଉପକୃତ ହୋଇପାରିବେ। ଏଥି ପାଇଁ ୨୭,୦୦୦ କୋଟିର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି। ସେହିପରି ରାଷ୍ଟ୍ରୀୟ ଗ୍ୟାସ୍‌ ଗ୍ରୀଡ୍‌କୁ ୧୬,୨୦୦ କିମିରୁ ବୃଦ୍ଧି କରାଯାଇ ୨୭ ହଜାର କିମି କରାଯିବାର ଯୋଜନା ରହିଛି। ଜଳ ବିକାଶ ମାର୍ଗକୁ ବୃଦ୍ଧି କରାଯିବାର ଯୋଜନା ବଜେଟରେ ରହିଛି। ଏଥିପାଇଁ ଲକ୍ଷେ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି।

Share