Categories: ଜାତୀୟ

୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ

ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପ୍ରଣୟନ କରିଛନ୍ତି। ତଦନୁଯାୟୀ ଅକ୍ଟୋବର ମାସରୁ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ଭାବେ ଆତ୍ମପ୍ରକାଶ କରିବ। ତେଣୁ ଅକ୍ଟୋବର ୩୧ ପରେ ସୀମା ପୁନଃନିର୍ଦ୍ଧାରଣ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିବ। ନଭେମ୍ବର ଶେଷ ଭାଗରୁ ବିଧାନସଭା କ୍ଷେତ୍ର ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ ହେବ। ଏହି ପ୍ରକ୍ରିୟା ଶେଷ ହେବା ଲାଗି ୧୪ ମାସ ସମୟ ଲାଗିଯିବ ବୋଲି କୁହାଯାଉଛି। ତେଣୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପାଇଁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।
କମିଶନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟଠାରୁ ନିର୍ଦ୍ଦେଶନାମା ପାଇବା ପରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିବ। ସବ୍‌କମିଟି ଗଠନ ଏବଂ ପ୍ରକ୍ରିୟା ପାଇଁ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତିରେ ମାସେ ଲାଗିଯିବ। ସୀମାନିର୍ଦ୍ଧାରଣ ପ୍ରକ୍ରିୟା ୯ରୁ ୧୦ ପର୍ଯ୍ୟାୟରେ ହେବ। ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବାବେଳକୁ ୧୪ ମାସ ଲାଗିଯିବ ବୋଲି ଇସି ସୂତ୍ରରୁ ଜଣାପଡିଛି। ଜମ୍ମୁକଶ୍ମୀରରୁ ଲଦାଖ ଅଲଗା ହୋଇଯିବା ପରେ ବିଧାନସଭା ଆସନ ସଂଖ୍ୟା ୮୭ରୁ ୮୩କୁ ହ୍ରାସ ପାଇବ। କାରଣ ଲେହ, କାର୍ଗିଲ, ଜନସ୍କର ଓ ନୁବ୍ରା ଆସନ ଆଉ ଜମ୍ମୁ-କଶ୍ମୀର ବିଧାନସଭାର ଅଂଶବିଶେଷ ହୋଇ ରହିବ ନାହିଁ। ବର୍ତ୍ତମାନ ଉପତ୍ୟକାରେ ୪୬ ଓ ଜମ୍ମୁ ଡିଭିଜନରେ ୩୭ ବିଧାନସଭା ଆସନ ରହିଛି। ସୀମା ନିର୍ଦ୍ଧାରଣ ପ୍ରକ୍ରିୟାରେ ଜମ୍ମୁରେ ଅଧିକ ୭ଟି ନିର୍ବାଚନ ମଣ୍ଡଳୀ ସୃଷ୍ଟି ହେବ। ଫଳରେ କଶ୍ମୀରରେ ୪୬ ସହ ଜମ୍ମୁର ୪୪ ଆସନକୁ ମିଶାଇ ମୋଟ ବିଧାନସଭା ଆସନ ସଂଖ୍ୟା ୯୦ ହେବ। ଜମ୍ମୁ ଡିଭିଜନରେ ଯେଉଁ ଅଧିକ ୭ଟି ଆସନ ହେବ ସେଥିରୁ କେତେକ ପଶ୍ଚିମ ପାକିସ୍ତାନରୁ ଆସି ବସବାସ କରୁଥିବା ଭୋଟରଙ୍କ ପାଇଁ ସଂରକ୍ଷିତ ରହିବ। ଜମ୍ମୁରେ ପାଖାପାଖି ୩ ଲକ୍ଷ ପଶ୍ଚିମ ପାକିସ୍ତାନୀ ଥଇଥାନ ହୋଇଛନ୍ତି।

ଜାତିସଂଘ ମୁଖ୍ୟଙ୍କ ସହ କଥାହେଲେ କୁରେଶୀ

ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେଙ୍କ ସହ ଶନିବାର ଟେଲିଫୋନରେ କଥା ହୋଇଛନ୍ତି। କଶ୍ମୀର ସ୍ଥିତି ବିଗିଡ଼ିବାରେ ଲାଗିଛି ଓ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମୁଦାୟ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ସେ କହିଛନ୍ତି। ନୂଆଦିଲ୍ଲୀ ଏକପାଖିଆ ଭାବେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ସହ ରାଜ୍ୟକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି। ହେଲେ ଏବେ ସେଠାରେ ସ୍ଥିତି ବିସ୍ଫୋରକ ରୂପ ଧାରଣ କରିଛି। ୨୦ ଦିନ ହେବ କର୍ଫ୍ୟୁ ଲଗାଯିବା ପରେ ସେଠାରେ ଲୋକଙ୍କୁ ଖାଦ୍ୟ, ଔଷଧର ଅଭାବ ଦେଖାଦେଇଛି। ଅନେକ ନେତାଙ୍କୁ ଗୃହବନ୍ଦୀ କରାଯାଇଛି। ତେବେ ଗୁଟେରେ ଏନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫ୍ରାନ୍ସରେ ଜି-୭ ସମ୍ମିଳନୀ ଅବସରରେ କଥା ହେବେ ବୋଲି କହିଛନ୍ତି। କଶ୍ମୀରରେ ଅଶାନ୍ତି ଦୂର ଲାଗି ଗୁଟେରେ ଏବେ ବି ପ୍ରସ୍ତୁତ ଅଛନ୍ତି ଓ ସେଠାରୁ କର୍ଫ୍ୟୁ ଉଠାଇବା ଲାଗି ଜାତିସଂଘ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉ ବୋଲି କହିଥିବା କୁରେଶୀ ଖବରଦାତାଙ୍କୁ ସୂଚନା ଦେଇଛନ୍ତି।

Share