Categories: ଜାତୀୟ

୨୦୧୭ରେ ଭାରତରେ ୨୮ ହଜାର ଲୋକଙ୍କୁ ହତ୍ୟା, ନମ୍ବର-୧ରେ ରହିଛି ଯୋଗୀଙ୍କ ରାଜ୍ୟ: ରିପୋର୍ଟ

ନୂଆଦିଲ୍ଲୀ,୨୨।୧୦: ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ପକ୍ଷରୁ ସୋମବାର ଅପରାଧିକ ମାମଲାର ଏକ ରିପୋର୍ଟ ପ୍ରକାଶ ପାଇଛି। ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ୨୦୧୭ରେ ଭାରତରେ ପ୍ରାୟ ୨୮ ହଜାର ଲୋକଙ୍କୁ ହତ୍ୟା କରାଯାଇଛି। ଏହି ତାଲିକାରେ ହତ୍ୟା, ବଳାତ୍କାର, ଯୌତୁକ ଜନିତ ହତ୍ୟା, ଅପହରଣ, ଏସିଡ୍‌ ଆକ୍ରମଣ ଭଳି ସଙ୍ଗୀନ ମାମଲା ରହିଛି। ନିର୍ଦ୍ଧାରିତ ସମୟର ଏକ ବର୍ଷ ବିଳମ୍ବରେ ପ୍ରକାଶ ପାଇଥିବା ଏନ୍‌ସିଆର୍‌ବି ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶରେ ୫୬ ହଜାର ୧୧ ଓ ମହାରାଷ୍ଟ୍ରରେ ୩୧ ହଜାର ୯୭୯ ଓ ପଶ୍ଚିମ ବଙ୍ଗରେ ୩୦ହଜାର ୯୯୨ ମାମଲା ରୁଜୁ ହୋଇଛି। ସେହିପରି ମଧ୍ୟପ୍ରଦେଶରେ ୨୯ ହଜାର ୭୭୮, ରାଜସ୍ଥାନରେ ୨୫ ହଜାର ୯୯୩ ଓ ଆସାମରେ ୨୩ ହଜାର ୮୨ ମାମଲା ରୁଜୁ କରାଯାଇଛି। ୨୦୧୭ ମାର୍ଚ୍ଚରୁ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ରହିଛି। ଆଉ ଏହି ମାମଲାରେ ଯୋଗୀ ସରକାରଙ୍କ ରାଜ୍ୟ ଉତ୍ତରପ୍ରଦେଶ ନମ୍ବର-୧ରେ ରହିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ ଉକ୍ତ ରପୋର୍ଟ ଅନୁସାରେ ୨୦୧୭ରେ ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲା ବୃଦ୍ଧି ପାଇଛି। ୨୦୧୭ରେ ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ୩ଲକ୍ଷ ୫୯ହଜାର ୮୪୯ ମାମଲା ରୁଜୁ ହୋଇଥିବା ବେଳେ ଲଗାତାର ୩ବର୍ଷ ମଧ୍ୟରେ ଏହାର ସଂଖ୍ୟା ଆହୁରି ବଢ଼ିଛି। ଅନ୍ୟପଟେ ୨୦୧୬ ଅପେକ୍ଷା ୨୦୧୭ରେ ୫.୯ ପ୍ରତିଶତ କମ୍‌ ହତ୍ୟା ମାମଲା ରୁଜୁ ହୋଇଥିବା ହୋଇଥିବା ଜଣାପଡ଼ିଛି। ସେହିପରି ଅପହରଣ ମାମଲା ମଧ୍ୟ ୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୬ରେ ୮୮ହଜାର ୫ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ୯୫ହଜାର ୮୯୩ ମାମଲା ରୁଜୁ କରାଯାଇଛି।

Share