୨୦ହଜାର ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ଟଙ୍କା

କଟକ ଅଫିସ, ୧୨।୧୧:୨୦ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ବାବଦ ଟଙ୍କା ଯାଇଛି। ଏମାନଙ୍କୁ କିଏ ହିତାଧିକାରୀ ଚିହ୍ନଟ କଲା ଓ ଏହି ଅଯୋଗ୍ୟଙ୍କୁ ସହାୟତା ଯୋଗାଇବା ପାଇଁ କିଏ ସୁପାରିସ କଲା ତାହା ଏବେ ଅନ୍ଧାରରେ। ଏବେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଅସୁଲ କରିବାକୁ ନେଇ କୃଷି ବିଭାଗ ହରଡ଼ଘଣାରେ ପଡ଼ିଛି। ଜିଲାର ୧୪ଟି ବ୍ଲକ ଅଧୀନରେ ଥିବା ୩୭୩ଟି ପଞ୍ଚାୟତରେ କାଳିଆ ଯୋଜନାରେ ମୋଟ୍‌ ୨ ଲକ୍ଷ ୫୫ହଜାର ୪୨୩ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଏହା ପରେ ସେମାନଙ୍କ ଆକାଉଣ୍ଟକୁ ଖରିଫ ଋତୁ ପାଇଁ ପ୍ରଥମ ଦଫାରେ ହିତାଧିକାରୀ ପିଛା ୫ହଜାର ଲେଖାଏ ଟଙ୍କା ପଠାଯାଇଥିଲା। ମାତ୍ର ଖୋଳତାଡ଼ କରାଯିବାରୁ ସେମାନଙ୍କ ମଧ୍ୟରୁ ୨୦ହଜାର ୧୦ ଜଣ ଅଯୋଗ୍ୟ ବୋଲି ଜଣାପଡ଼ିଛି। ଅଯୋଗ୍ୟଙ୍କ ମଧ୍ୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ସର୍ବାଧିକ ୩୩୪୬ ଜଣ ଥିବାବେଳେ ତିଗିରିଆ ବ୍ଲକରେ ସର୍ବନିମ୍ନ ୨୧୫ ଜଣ ରହିଛନ୍ତି। ସେହିପରି କଟକ ସଦର ବ୍ଲକରେ ୨୭୮୯, ବାରଙ୍ଗରେ ୨୯୨, କଣ୍ଟାପଡ଼ାରେ ୬୯୦, ନିଆଳିରେ ୧୮୬୯, ସାଲେପୁରରେ ୬୨୯, ନିଶ୍ଚିନ୍ତକୋଇଲିରେ ୧୮୭୦, ମାହାଙ୍ଗାରେ ୩୧୩୮, ଆଠଗଡ଼ରେ ୧୬୮୯, ବଡ଼ମ୍ବାରେ ୧୨୭୪, ନରସିଂହପୁରରେ ୫୪୩, ବାଙ୍କୀରେ ୨୫୮ ଓ ଡମପଡ଼ାରେ ୧୪୦୮ ଜଣ ରହିଛନ୍ତି।
କାଳିଆ ଯୋଜନାରେ ହିତାଧିକାରୀ ଚିହ୍ନଟ କରିବା ପାଇଁ ପ୍ରଥମେ ପଞ୍ଚାୟତ ସ୍ତରରେ କମିଟି ଗଠନ ହୋଇଥିଲା। ଏଥିରେ ଭିଏଡବ୍ଲ୍ୟୁ, ଭିଏଲ୍‌ଡବ୍ଲ୍ୟୁଙ୍କ ସହିତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସମବାୟ ସମିତି ସମ୍ପାଦକ ପ୍ରମୁଖ ସଭ୍ୟ ଥିଲେ। ଏହାପରେ ବ୍ଲକ ସ୍ତରରେ ମଧ୍ୟ ଏକ କମିଟି ଗଠନ ହୋଇଥିଲା। ଯେଉଁଥିରେ ବିଡିଓ ମୁଖ୍ୟ ଥିଲେ। ବ୍ଲକସ୍ତରୀୟ କମିଟି ସୁପାରିସ ଅନୁଯାୟୀ ଚୂଡ଼ାନ୍ତ ହିତାଧିକାରୀ ଚୟନ କରାଯାଇଥିଲା। ମାତ୍ର ଦୁଇଟି କମିଟି ସତ୍ତ୍ବେ ଏତେ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ କିଭଳି ବାହାରିଲେ ଓ ସେମାନଙ୍କ ଆକାଉଣ୍ଟକୁ କିଭଳି ଟଙ୍କା ଗଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି।
ଜିଲା ଉପକୃଷି ନିର୍ଦ୍ଦେଶକ ପରେଶ ଚନ୍ଦ୍ର ସାହୁ କୁହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ ଟଙ୍କା ଅସୁଲ ପାଇଁ ସରକାର ଯୋଜନା କରୁଛନ୍ତି। ଯେଉଁମାନେ ପେନ୍‌ସନ୍‌ଭୋଗୀ କିନ୍ତୁ କାଳିଆ ଯୋଜନାରେ ସହାୟତା ପାଇଛନ୍ତି ସେମାନଙ୍କ ପେନ୍‌ସନ୍‌ରୁ ଟଙ୍କା ଭରଣା କରାଯିବ। ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଦରମାରୁ ଟଙ୍କା ଭରଣା କରାଯିବ। ସେହିପରି ଯେଉଁ ପରିବାରରେ ଏକାଧିକ ହିତାଧିକାରୀ ଲାଭବାନ ହୋଇଛନ୍ତି ସେମାନଙ୍କୁ ଦ୍ୱିତୀୟ କିସ୍ତି ଦିଆଯିବ ନାହିଁ ବୋଲି ସାହୁ କହିଛନ୍ତି।