୨୦ଦିନ ପାଇଁ ମହଜୁଦ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ହୁହୁ ହୋଇ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଲୋକଙ୍କ ମନରେ ଖାଦ୍ୟ ଚିନ୍ତାକୁ ବଢ଼ାଇ ଦେଇଛି। ଏପଟେ ଧୀରେ ଧୀରେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ସରିଆସିଲାଣି। ଆଗକୁ ରାଜଧାନୀରେ ଖାଦ୍ୟ ସମସ୍ୟା ଦେଖାଦେବ ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଯେତେବେଳେ ଟିକେ ସୁଯୋଗ ମିଳୁଛି ଲୋକେ ଦୋକାନ ବଜାରରେ ଭିଡ଼ ଜମାଉଛନ୍ତି। ୪୮ଘଣ୍ଟିଆ ଶଟ୍‌ଡାଉନ୍‌ ହଟିଯାଇଥିବାବେଳେ ସୋମବାର ଏଭଳି ଆଶଙ୍କା ମଧ୍ୟ ଦେଖାଦେବ ଓ ସାମାଜିକ ଦୂରତ୍ୱକୁ ଲୋକେ ଉଲ୍ଲଂଘନ କରିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିକୁ ଦୂର କରିବା ପାଇଁ ଅଧିକ ସମୟ ଦୋକାନ ଖୋଲିବା ସହ ରାସ୍ତା ଉପରେ ଅଧିକ କାଉଣ୍ଟର ଖୋଲାଯିବ। ଲୋକମାନେ ସମାନ ଦାମ୍‌ରେ ସାମଗ୍ରୀ ପାଇପାରିବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କ ସହ ମଧ୍ୟ କଥାହୋଇଥିବା ଓ ପ୍ରତିଶ୍ରୁତି ମିଳିଥିବା ସେ କହିଛନ୍ତି। ସେ କୁହନ୍ତି, ଆମକୁ ସରକାରଙ୍କ ଆଭିମୁଖ୍ୟକୁ ବୁଝିବାକୁ ହେବ। ଆମେ ଅଧିକରୁ ଅଧିକ ସମୟ ଦୋକାନ ଖୋଲିବା ପାଇଁ ଡିସିପିଙ୍କୁ ଅନୁରୋଧ କରିଛୁ। ଯେତେ ଅଧିକ ସମୟ ଦୋକାନ ଖୋଲିଲେ ଗହଳି କମିଯିବ। ଏହା ସଫଳ ହେଲେ ପର୍ଯ୍ୟାୟକ୍ରମେ ଅନ୍ୟ ସ୍ଥାନରେ ଏପରି ବ୍ୟବସ୍ଥା ହେବ। ଆମ ନିକଟରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ୨୦ ଦିନ ବାହାରୁ ମାଲ୍‌ ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ଲୋକମାନେ ଭୟଭୀତ ହୋଇ ଆବଶ୍ୟକତାଠାରୁ ଅଧିକ କିଣନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି।