ଫେବୃୟାରୀ ୨ରୁ କନ୍ଧମାଳ ମହୋତ୍ସବ

ଫୁଲବାଣୀ ଅଫିସ, ୩୧ା୧୨- ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ଫେବୃୟାରୀ ୨ ତାରିଖରୁ ଆରମ୍ଭ ହେବ। ଏ ନେଇ ଏକ ପ୍ରଶାସନିକ ବୈଠକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ମହୋତ୍ସବ ଏବଂ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ସ୍ଥାନୀୟ କରୋନେଶନ ପଡିଆରେ ଅନୁଷ୍ଠିତ ହେବ। ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟର ଅନ୍ୟାନ୍ୟ ଜିଲା ଓ ବାହାରୁ ଆସିଥିବା ସାଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିବେ । ଏହି ଅବସରରେ ପିଲାମାନଙ୍କ ପାଇଁ ସୁନ୍ଦର ସ୍ବାସ୍ଥ୍ୟ, କୌତୁକ ପୋଷାକ, ଏକକ ଅଭିନୟ, ମହିଳାମାନଙ୍କ ପାଇଁ ଖାଦ୍ୟ ରନ୍ଧା, ମ୍ୟୁଜିକାଲ ଚେୟାର, ରଙ୍ଗୋଲି ଆଦି ପ୍ରତିଯୋଗିତା ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ସୁରୁଖରୁରୁରେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଆୟୋଜନ କମିଟି, ଅଭ୍ୟର୍ଥନା କମିଟି, ଅର୍ଥ କମିଟି, କାର୍ଯ୍ୟ ପରିଚାଳନା କମିଟି, ପ୍ରଦର୍ଶନୀ ପରିଚାଳନା କମିଟି, ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ସମ୍ବର୍ଦ୍ଧନା କମିଟି, ଭାଷା ସାହିତ୍ୟ କମିଟି, ବିଜ୍ଞାପନ ଓ ପ୍ରସାର କମିଟି ଆଦି ଗଠନ କରାଯାଇଛି। ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପିଡି ଡିଆଆଡିଏ ବିଶ୍ୱନାଥ ବାରିକ, ପିଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସହରର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।