୧୯ ଡିଗ୍ରୀ ତଳେ ସାରା ରାଜ୍ୟ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସାରା ରାଜ୍ୟରେ ଶୀତ ଲହରି ଜାରି ରହିଛି। ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର ସମୟରେ ଥଣ୍ଡାର ପ୍ରକୋପ ଅଧିକ ରହୁଛି। ଶୀତ ସହ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶେଷକରି ସୋନପୁରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରବିବାର ସୋନପୁରରେ ସର୍ବନିମ୍ନ ୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୮.୩, ଦାରିଙ୍ଗବାଡ଼ି ୯.୦, ଅନୁଗୋଳ ୧୦, ଭବାନୀପାଟଣା ୧୦.୨, କୋରାପୁଟ ୧୧.୬, ତାଳଚେର ୧୧.୯, ବଲାଙ୍ଗୀର ୧୨.୮, କେନ୍ଦୁଝରଗଡ଼ ୧୨.୪, ସୁନ୍ଦରଗଡ଼ ୧୨, ଝାରସୁଗୁଡ଼ା ୧୩, ବାରିପଦା ୧୩.୪, ହୀରାକୁଦ ୧୩.୬, ସମ୍ବଲପୁର ୧୩.୭, ଟିଟିଲାଗଡ଼ ୧୪, ମାଲାକାନଗିରି ଓ ବୌଦ୍ଧରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାକି ସବୁଠି ତାପମାତ୍ରା ୧୯ ଡିଗ୍ରୀ ତଳକୁ ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।
ସେପଟେ ରାଜ୍ୟର ବିଭିନ୍ନ ସହରରେ ଘନକୁହୁଡ଼ି ପରିଲକ୍ଷିତ ହୋଇଥିଲା। ଭଦ୍ରକ, ଯାଜପୁର, କନ୍ଧମାଳ, ଜଗତ୍‌ସିଂହପୁର, କଟକ, ପୁରୀ, ଅନୁଗୋଳ ଓ ଢେଙ୍କାନାଳରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଥିଲା। ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ଘନକୁହୁଡ଼ି ହେବାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ରାଜ୍ୟର ପାଗ ଶୁଖିଲା ରହିବ। କଟକ, ଜଗତ୍‌ସିଂହପୁର, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୋଳ, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ପୁରୀ, ନୟାଗଡ଼, କନ୍ଧମାଳ ଓ ଖୋର୍ଦ୍ଧାରେ ଘନକୁହୁଡି ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି।