୧୮ ଫୁଟ ଖାଲରେ ଖସିପଡ଼ିଲା ହାତୀ: ୫ ଘଣ୍ଟାର ଅପରେଶନ ପରେ ଉଦ୍ଧାର କଲା ବନବିଭାଗ

ଶେରଗଡ଼/ଦିଗପହଣ୍ଡି,୨।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଳକ ଅଧୀନ ଅଲାରିଗଡ଼ ଗ୍ରାମ ଲଣ୍ଡା ଶିଖ ଜେନାଖୋଲ ପାହାଡ଼ ନିକଟରେ ପ୍ରାୟ ୧୮ ଫୁଟ ଖାଲରେ ଏକ ମାଈହାତୀ ଖସି ପଡ଼ିଥିଲା। ବନକର୍ମଚାରୀ, ଦମକଳବାହିନୀ ଏବଂ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଦୀର୍ଘ ୫ ଘଣ୍ଟା ପରେ ହାତୀକୁ ଉଦ୍ଧାର କରାଯାଇଛି।

ସୂଚନାନୁଯାୟୀ, କିଛିଦିନ ଧରି ଘୁମୁସର ଜଙ୍ଗଲରୁ ୧୧ ଟିକିଆ ହାତୀପଲ ଆସି ଦିଗପହଣ୍ଡି, ବ୍ରହ୍ମପୁର, ଚିକିଟି ଓ ଆଖପାଖ ଅଞ୍ଚଳରେ ଉତ୍ପାତ କରୁଥିଲେ। ଶନିବାର ସନ୍ଧ୍ୟାରେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ହାତୀପଲ ଦିଗପହଣ୍ଡି ବନାଞ୍ଚଳ ରତନଇ ସଂରକ୍ଷିତ ଜଙ୍ଗଲରୁ ବାହାରି ଅଲାରିଗଡ ଗାଁ ସୀମାନ୍ତ ଲଣ୍ଡାଶିଖ ଜେନାଖାଲ ପାହାଡ଼ ରାସ୍ତା ଦେଇ ଜଙ୍ଗଲ ମଧ୍ୟକୁ ଫେରୁଥିବା ବେଳେ ସନ୍ଧ୍ୟା ୭ଟାରେ ଖାତ ମଧ୍ୟରେ ହାତୀଟି ଖସି ପଡ଼ିଥିଲା। ବନ କର୍ମଚାରୀମାନେ ଏ ନେଇ ଦିଗପହଣ୍ଡି ରେଞ୍ଜର ପ୍ରମୋଦ କୁମାର ଖଡ଼ଗରାୟଙ୍କୁ ଖବର ଦେଇଥିଲେ। ରେଞ୍ଜର ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଉପରିସ୍ଥ ବିଭାଗୀୟ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ହାତୀପଲରେ ଥିବା ଗୋଟିଏ ଦନ୍ତା ସମେତ ୯ ଟି ହାତୀ ସେଠାରେ ଖାତରେ ପଡ଼ିଥିବା ହାତୀଟିକୁ ଘେରି ରହିଥିଲେ। ଖାତ ମଧ୍ୟରୁ ହାତୀଟିକୁ ଉଦ୍ଧାର ପାଇଁ ଅନ୍ୟ ହାତୀ ମାନେ ଶୁଣ୍ଢ ବଢାଇ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସଫଳ ହୋଇ ନ ଥିଲେ। ରାତି ସାରା ହାତୀପଲ ଘଟଣାସ୍ଥଳ ଛାଡ଼ି ନ ଥିଲେ ବୋଲି ରେଞ୍ଜର କହିଛନ୍ତି। ରବିବାର ଭୋର ପ୍ରାୟ ସାଢ଼େ ୪ଟାରେ ବ୍ରହ୍ମପୁର ସହକାରୀ ବନଖଣ୍ଡ ଅଧିକାରୀ ଅଶୋକ କୁମାର ବେହେରା, ବ୍ରହ୍ମପୁର ରେଞ୍ଜର ଏ.ରାଜା ରାଓ, ଦିଗପହଣ୍ଡି ବନାଞ୍ଚଳ ରେଞ୍ଜର ପ୍ରମୋଦ କୁମାର ପ୍ରମୁଖ ୬୦ରୁ ଊଦ୍ଧର୍‌ବ ବନ କର୍ମଚାରୀ ଓ ହିଞ୍ଜିଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଉଦ୍ଧାର ପାଇଁ ଅପରେଶନ ଆରମ୍ଭ କରିଥିଲେ। ଦୀର୍ଘ ୫ ଘଣ୍ଟାର ପରେ ହାତୀଟି ସକାଳ ପ୍ରାୟ ସାଢ଼େ ୯ ଟାରେ ଖାତରୁ ବାହାରି ଜଙ୍ଗଲରେ ଥିବା ହାତୀପଲ ପାଖକୁ ଚାଲି ଯାଇଥିଲା।

ପ୍ରକାଶ ଯେ, ଏହି ହାତୀପଲରୁ ଅଲଗା ହୋଇଯାଇଥିବା ଗୋଟିଏ ହାତୀ ଗତ ୨୧ତାରିଖ ଭୋରରେ ଦିଗପହଣ୍ଡି ଗ୍ରାମ୍ୟ ସ୍ବାସ୍ଥ୍ୟ ତାଲିମ କେନ୍ଦ୍ର କୋଠା ପଛ ଭାଗରେ ଥିବା ସୁରେଶ ଚନ୍ଦ୍ର ପଶୁପାଳକ ଙ୍କ ଧାନ ଖଳା ଜଗିଥିବା ଚାଷୀ ଆଲୁ . ଲାଛେୟା ଙ୍କୁ ଶୁଣ୍ଢରେ ଛେଚି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।