୧୮ରେ ଦିବ୍ୟାଙ୍ଗଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣା ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ସକ୍ଷମ-୨ ଶିବିର ପାଇଁ ପଞ୍ଜୀକରଣ ରବିବାର ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର ପଞ୍ଚମ ଲେନ୍‌ରେ ଥିବା କମ୍ୟୁନିଟି ହଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଶିବିରରେ ଗଞ୍ଜାମ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । କ୍ଲବ ସଭାପତି ପ୍ରଦୀପ କୁମାର ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ପ୍ରାକ୍ତନ ସଭାପତି ତଥା ସକ୍ଷମ-୧ ସଂଯୋଜକ ଅଜିତ କୁମାର ପୃଷ୍ଟି ପ୍ରାରମ୍ଭିକ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମ ଅଧ୍ୟକ୍ଷ ସୁଧାଂଶୁ କୁମାର ଖଡ୍‌ଗରାୟ ରୋଟାରୀ କ୍ଲବ ଇଷ୍ଟର ସକ୍ଷମ-୧ ଏବଂ ସକ୍ଷମ-୨ କାର୍ଯ୍ୟକ୍ରମ ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ । ପ୍ରାୟ ୧୫୦ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ ପାଇଁ ନାମ ପଞ୍ଜୀକରଣ କରାଯାଇଥିବା ଅଧ୍ୟକ୍ଷ ସୂଚନା ଦେଇଥିଲେ । ଏହି ଶିବିରରେ ଉପଭୋକ୍ତାଙ୍କର ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗର ଆକାର ଏବଂ ଆକୃତି ମାପ ନିଆଯାଇଥିଲା ।
କଲିକତାର ମହାବୀର ସେବା ସଦନର ସ୍ବେଚ୍ଛାସେବୀମାନେ ଏଥିରେ ସହଯୋଗ କରିଥିଲେ। ନଭେମ୍ବର ୧୮ରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯିବ । ଜିଲାର ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ମଧ୍ୟ ଉପଭୋକ୍ତାମାନେ ଏହି ଶିବିରରେ ନିଜ ନାମ ପଞ୍ଜୀକରଣ କରିଥିଲେ । ସମସ୍ତ ଦିବ୍ୟାଙ୍ଗ ଏବଂ ତାଙ୍କର ସହଯୋଗୀଙ୍କ ପାଇଁ ରହିବା ଖାଇବା ବ୍ୟବସ୍ଥା କରାଯାଇଥିଲା। ଉଦ୍‌ଘାଟନ ସଭାକୁ ଡା. ସମ୍ବିତ ବେଗ୍‌ରାୟ ସଂଯୋଜନା କରିଥିଲେ । ଶେଷରେ ସମ୍ପାଦକ ରଂଜିତ ପାତ୍ର ଧନ୍ୟବାଦ ଦେଇଥିଲେ ।