୧୭ ୟୁନିଟ୍‌, ମୂଲ୍ୟାୟନ କରିବେ ୩୪୯ ଜଣ

ଅନୁଗୋଳ ଅଫିସ୍‌, ୧୯।୩: ଅନୁଗୋଳ ଜିଲାରେ ଗୁରୁବାରଠାରୁ ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆରମ୍ଭ ହେବ। ଅନୁଗୋଳ ଉଚ୍ଚ ବିଦ୍ୟାଳୟରେ ଏହି ମୂଲ୍ୟାୟନ କରାଯିବ ବୋଲି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୋଟ ୧୭ଟି ୟୁନିଟ୍‌ରେ ୩୪୯ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ଖାତା ଦେଖିବେ। ଅନ୍ୟପକ୍ଷରେ କରୋନା ସଂକ୍ରମଣ ନ ହେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ଦିଗରେ ବ୍ୟାପକ ସତର୍କ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି।
ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର ବ୍ୟବସ୍ଥା କରାଯିବା ସହ କେନ୍ଦ୍ର ବାହାରେ ପାଣି, ସାବୁନ୍‌ ରଖାଯାଇଥିବା ଜିଲା ଶିକ୍ଷା ଅଧିକାରୀ ପକ୍ଷରୁ କୁହାଯାଇଛି। ଖାତା ଦେଖା ସମୟରେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରେ ୧ ମିଟର ଦୂରତାର ବ୍ୟବଧାନ ରଖାଯାଇଛି। ସେମାନଙ୍କୁ ମାସ୍କ ଯୋଗାଇଦେବା ପାଇଁ ଜିଲା ପ୍ରଶାସନକୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା କୁହାଯାଇଛି। ୩ଟି ପର୍ଯ୍ୟାୟରେ ମୋଟ ୩୪୯ ଜଣ ପରୀକ୍ଷା ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର୍ଯ୍ୟାୟରେ ସକାଳ ସାଢ଼େ ୮ରୁ ଅପରାହ୍ନ ସାଢ଼େ ୨ଟା ପର୍ଯ୍ୟନ୍ତ ସାହିତ୍ୟ ଓ ସାମାଜିକ ବିଜ୍ଞାନ ଖାତା ମୂଲ୍ୟାୟନ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସକାଳ ସାଢେ ୯ଟାରୁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ଇଂଲିଶ ଓ ବିଜ୍ଞାନ ଖାତା ଏବଂ ତୃତୀୟ ପର୍ଯ୍ୟାୟରେ ପୂର୍ବାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ସଂସ୍କୃତ, ହିନ୍ଦୀ ଓ ଗଣିତ ଖାତା ମୂଲ୍ୟାୟନ କରାଯିବାର ବ୍ୟବସ୍ଥା କରାଯାଇଥିବା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ମୂଲ୍ୟାୟନ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଅନୁଗୋଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଜିଲା ଶିକ୍ଷା ଅଧିକାରୀ ମୂଲ୍ୟାୟନ ତଦାରଖ କରିବେ ବୋଲି କୁହାଯାଇଛି। ସେହିପରି ଜଣଙ୍କୁ ମୂଲ୍ୟାୟନ କେନ୍ଦ୍ରର କ୍ୟାମ୍ପ ଅଫିସର ଭାବେ ନିୟୋଜିତ କରାଯାଇଥିବାବେଳେ ତାଙ୍କୁ ସହଯୋଗ କରିବାକୁ ଦୁଇ ଜଣ ରହିଛନ୍ତି। ୧୭ଟି ୟୁନିଟ୍‌ରେ ଜଣେ ଲେଖାଏଁ ଚିଫ୍‌ ଥିବାବେଳେ ୩୪ ଜଣ ଡେପୁଟି ଚିଫ୍‌ ନିୟୋଜିତ କରାଯାଇଛି ବୋଲି ଜିଲା ଶିକ୍ଷା ଅଧିକାରୀ କଳ୍ପନା କୁମାରୀ ବେହେରା ସୂଚନା ଦେଇଛନ୍ତି।