୧୭ ବର୍ଷ ହେବ ମରାମତି ହୋଇନି : ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ

ଜୁନାଗଡ଼,୧୭।୮(ଡି.ଏନ.ଏ.) – କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଞ୍ଚାୟତ ସାନଫୁର୍ଲା-ବନ୍ଦପଡାକୁ ସଂଯୋଗ କରୁଥିବା ଦେଢ କି.ମି. ରାସ୍ତା ଗତ ୧୭ ବର୍ଷ ହେବ ରକ୍ଷଣାବେକ୍ଷଣ ଅଭାବରୁ ମରଣଯନ୍ତା ପାଲଟିଛି। ବର୍ଷା ସମୟରେ ରାସ୍ତାରେ କାଦୁଅ ହେବା ସହ ବଡ ବଡ ଖାଲ ସୃଷ୍ଟି ହୋଇଛି। ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସ୍ଥାନୀୟ ଲୋକେ ଯାତାୟାତ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ବର୍ଷ ହେବ ଏହି ରାସ୍ତାକୁ ମରାମତି କରିବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ପାଖରେ ସ୍ଥାନୀୟ ଅଧିବାସୀ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବର୍ତ୍ତମାନ ବର୍ଷା ଲାଗିରହିଥିବାରୁ ଉକ୍ତ ରାସ୍ତାରେ ଏକ ଫୁଟ ଉଚ୍ଚର କାଦୁଅ ଜମା ହୋଇ ରହିଛି । ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ଚାଲିଚାଲି ସ୍ଥାନୀୟ ଲୋକେ ଯାତାୟାତ କରୁଛନ୍ତି। ରାସ୍ତାର ଏପରି ବ୍ୟତିକ୍ରମକୁ ନେଇ ଗୁରୁବାର ସାନଫୁର୍ଲା ବନ୍ଦପଡା ଗ୍ରାମବାସୀ ସେହି କାଦୁଅରେ ଧାନତଳି ରୋଇ ଅଭିନବ ପ୍ରତିବାଦ ଜଣାଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରୁଥିବାବେଳେ ଉକ୍ତ ଘଟଣା ବାସ୍ତବିକ ଚିତ୍ରକୁ ସାମ୍‌ନାକୁ ଆଣିଛି । କଳାହାଣ୍ଡି ଜିଲାପାଳ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

Share