୧୭ରେ କେନ୍ଦ୍ରାପଡ଼ା ବନ୍ଦ ଡାକରା

କେନ୍ଦ୍ରାପଡ଼ା ଅଫିସ, ୧୬ା୧:କେନ୍ଦ୍ରାପଡ଼ା ସହରର ଖଡିଅଙ୍ଗସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସିଟି ହସ୍ପଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି। ସହରର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଦାବି ପୂରଣ ପାଇଁ ଆସନ୍ତା ୧୭ ତାରିଖରେ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର ବୈଠକ ସହ ସହର, ଆଖପାଖ ପଞ୍ଚାୟତରେ ବାଇକ୍‌ ରାଲି କରାଯାଉଛି। ସେହିପରି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ରାପଡ଼ା ବନ୍ଦ ଡାକରାକୁ ଜିଲା କଂଗ୍ରେସ ସମର୍ଥନ ଯୋଗାଇବ ବୋଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ସହରସ୍ଥ ଖଡିଅଙ୍ଗ ଗଁାର ସାମାଜିକ କର୍ମୀ କ୍ଷିତୀଶ କୁମାର ସିଂହଙ୍କୁ ସୂଚନା ଅଧିକାର ଅନୁଯାୟୀ ୨୦୨୨ ଜୁନ ୨୬ରେ ମିଳିଥିବା ତଥ୍ୟ (ପତ୍ର ସଂଖ୍ୟା- ୬୨୦୧)ରେ ସିଡିଏମ୍‌ଓ ଦର୍ଶାଇଛନ୍ତି ଯେ, ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପାଇଁ କୌଣସି ବିଭାଗୀୟ ଚିଠି ହୋଇନାହିଁ। ତେବେ ୯ ତାରିଖରେ ଖଡିଅଙ୍ଗସ୍ଥ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୩ କି.ମି. ଦୂର ଶାମଗୁଡିଆକୁ ସ୍ଥାନାନ୍ତର ହୋଇଛି। ସ୍ଥାନାନ୍ତର ପରେ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମିକୁ ସିଟି ହସ୍ପିଟାଲରେ ପରିଣତ ପାଇଁ କେନ୍ଦ୍ରାପଡ଼ା ମେଡିକାଲ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଜିଲା ପ୍ରଶାସନକୁ ୬ ତାରିଖରେ ଦିଆଯାଇଥିଲା। ଏ ସମ୍ପର୍କରେ କମିଟି କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ସାହୁ, ହିବଜୁର ରହେମାନ, ସଲିମ ଖାନ, ମନୋଜ କୁମାର ସିଂହ ପ୍ରମୁଖ କହିଛନ୍ତି, ଏଠାରେ ଏବେ ୬୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ସହର ମଝିରେ ସିଟି ହସ୍ପିଟାଲ ନ ଥିବାରୁ ବହୁ ଲୋକ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଛନ୍ତି। ଏହାବ୍ୟତୀତ ଶାମଗୁଡିଆରେ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପାଇଁ କୌଣସି ପ୍ରସ୍ତୁତି ନାହିଁ। ସେହିସ୍ଥାନରେ ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସା କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ସହ ଅର୍ଥ ବ୍ୟବସ୍ଥା ହୋଇଥିଲା। କେଉଁ ପରିସ୍ଥିତିରେ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେଲା, ସେ ସମ୍ପର୍କରେ ଜିଲା ପ୍ରଶାସନ ନୀରବ ରହିଛି।