Categories: ଜାତୀୟ

୧୭ରୁ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧ା୬ପି.ଟି.): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ତଥା ବଜେଟ ଅଧିବେଶନ ଜୁନ୍‌ ୧୭ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାର୍ଲାମେଣ୍ଟର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ମାନେକା ଗାନ୍ଧୀଙ୍କୁ ଗୁରୁବାର ଲୋକ ସଭାର କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି। ସେ ନବନିର୍ବାଚିତ ଏମ୍‌ପିମାନଙ୍କୁ ଶପଥ ପାଠ କରାଇବେ। ଜୁନ୍‌ ୧୯ରେ ବାଚସ୍ପତି ନିର୍ବାଚନ ହେବ। ବାଚସ୍ପତି ନିଯୁକ୍ତ ହେବା ପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଅଣାଯିବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଉତ୍ତର ରଖିବେ। ଜୁଲାଇ ୫ରେ ଅର୍ଥମନ୍ତ୍ରୀ ଲୋକ ସଭାରେ ବଜେଟ ଉପସ୍ଥାପନ କରିବେ।
ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ (ଏନ୍‌ଡିଏ) ୩୫୨ ଆସନରେ ବିଜୟୀ ହୋଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ କ୍ଷମତାକୁ ଫେରିଥିବାବେଳେ ଭାଜପା ଏକାକୀ ୩୦୩ ଆସନ ହାତେଇଛି। ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ପ୍ରଥମ ଭାଜପା ନେତା ଯିଏ କି ସରକାରରେ ୫ ବର୍ଷ କାର୍ଯ୍ୟକାଳ ପୂରଣ କରି କ୍ରମାଗତ ଭାବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ୩ ଜଣ କଂଗ୍ରେସ ନେତା ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ମନମୋହନ ସିଂଙ୍କୁ ଏହି ସଫଳତା ମିଳିଥିଲା।

Share